ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରୁ ଶିକ୍ଷା ବିଭାଗକୁ ନେଇ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ମଦ୍ୟପ ଅବସ୍ଥାରେ ବିଦ୍ୟାଳୟକୁ ଆସିବା, ସ୍କୁଲ ସମୟରେ ବାହାରକୁ ଯାଇ ମଦ ପିଇବା ଏବଂ ସହକର୍ମୀ ଓ ସାଧାରଣ ଲୋକଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।
ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ରାମପୁର ବୀଣାପାଣି ସରକାରୀ ନୋଡାଲ ୟୁପିଏମଇ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କ ବିରୋଧରେ ଦୀର୍ଘଦିନ ଧରି ମଦ୍ୟପ ଅବସ୍ଥାରେ ବିଦ୍ୟାଳୟକୁ ଆସିବା, ଅଶାଳୀନ ଭାଷା ପ୍ରୟୋଗ କରିବା ଏବଂ ଶିକ୍ଷକମାନଙ୍କ ସହ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଥିଲା। ସ୍କୁଲ ସମୟରେ ବଜାରକୁ ଯାଇ ମଦ ପିଇ ସାଧାରଣ ଲୋକଙ୍କ ସହ ମଧ୍ୟ ଅସଭ୍ୟ ବ୍ୟବହାର କରୁଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ।
ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ପରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଇଥିଲା। ତଦନ୍ତରେ ଅଭିଯୋଗର ପ୍ରାଥମିକ ସତ୍ୟତା ମିଳିବା ପରେ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀନାଥ ଦାସଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଛନ୍ତି।
ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ବିଦ୍ୟାଳୟ ପରି ପବିତ୍ର ଶିକ୍ଷାନୁଷ୍ଠାନରେ ଏଭଳି ଆଚରଣକୁ ନେଇ ପ୍ରଶ୍ନ ଉଠିଛି। ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା, ଦାୟିତ୍ୱବୋଧ ଓ ଶିକ୍ଷକଙ୍କ ଆଦର୍ଶ ଭୂମିକା ବଜାୟ ରଖିବା ପାଇଁ ଏପରି ମାମଲାରେ କଠୋର ପଦକ୍ଷେପ ଆବଶ୍ୟକ ବୋଲି ସ୍ଥାନୀୟ ମହଳରେ ମତ ପ୍ରକାଶ ପାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।