ବରଗଡ଼: ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକରେ ଅଙ୍ଗନବାଡ଼ି ପାଚିକାଙ୍କୁ ଜାତିଆଣ ଭେଦଭାବ ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମି ନଥିବା ବେଳେ, ସମାନ ଅଭିଯୋଗ ଏବେ ବରଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି। ଝାରବନ୍ଧ ବ୍ଲକ ଅନ୍ତର୍ଗତ ଦେୱାନପାଲି ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଜଣେ ଦଳିତ ପାଚିକାଙ୍କ ପ୍ରତି ଜାତିଗତ ଭେଦଭାବ କରାଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ପାଚିକା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଗ୍ରାମରେ ଏକ ବୈଠକ ହୋଇଥିଲା। ଗ୍ରାମ ପକ୍ଷରୁ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଆବେଦନ କରାଇବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ, ଦଳିତ ସମ୍ପ୍ରଦାୟର ପଦ୍ମିନୀ ଜଗତ ସ୍ୱତନ୍ତ୍ର ଭାବେ ଆବେଦନ କରି ନିଯୁକ୍ତି ପାଇଥିଲେ। ସେ ଗତ ଦୁଇ ମାସ ଧରି ପାଚିକା ଭାବେ କାର୍ଯ୍ୟ କରୁଛନ୍ତି।
ପଦ୍ମିନୀଙ୍କ ଅଭିଯୋଗ, ତାଙ୍କ ଜାତିକୁ ଆଧାର କରି କେତେକ ବ୍ୟକ୍ତି ତାଙ୍କ ରନ୍ଧା ଖାଦ୍ୟ, ଅଣ୍ଡା ଓ ଛତୁଆ ନ ଖାଇବାକୁ ପ୍ରଚାର କରୁଛନ୍ତି। ଏପରିକି ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ଅଙ୍ଗନବାଡ଼ିକୁ ନ ପଠାଇବାକୁ ପ୍ରବର୍ତ୍ତାଯାଉଥିବା ଏବଂ ତାଙ୍କୁ ପଦରୁ ଇସ୍ତଫା ଦେବା ପାଇଁ ଚାପ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ବାପା ଅବଧୂତ ଜଗତଙ୍କୁ ମଧ୍ୟ ଗ୍ରାମ ବୈଠକରେ ଡାକି ଝିଅଙ୍କୁ ଚାକିରି ଛାଡ଼ିବାକୁ କହାଯାଇଥିବା ଅଭିଯୋଗ ହୋଇଛି।
ବୁଧବାର କେତେକ ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଥିବାରୁ ସେଠାରେ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିଥିଲା। ଏହାଫଳରେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାମାନେ ପୁଷ୍ଟିକର ଖାଦ୍ୟ ସହ ଅନ୍ୟାନ୍ୟ ସେବାରୁ ବଞ୍ଚିତ ହୋଇଥିବା କୁହାଯାଇଛି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏପଟେ ଝାରବନ୍ଧ ସିଡିପିଓ କହିଛନ୍ତି, ଘଟଣା ନେଇ ଲିଖିତ ଅଭିଯୋଗ ମିଳିଛି। ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ଏବଂ ସେହି ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ।