ଭୁବନେଶ୍ୱର: ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଏକ ବଡ଼ ଅଂଶରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ରାଜ୍ୟର ବାକି ଅଞ୍ଚଳରେ ମଧ୍ୟ ମଧ୍ୟମରୁ ଭୀଷଣ ବର୍ଷା ଦେଖିବାକୁ ମିଳିବ।
ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୩ ତାରିଖ ସୁଦ୍ଧା ଏହା ଏକ ଲଘୁଚାପ ବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ ଏବଂ ଗୁରୁବାରଠାରୁ ହିଁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଆରମ୍ଭ ହୋଇଯିବ। ପୂରା ଓଡ଼ିଶାକୁ ଏହା ଭିଜାଇବ।
କେଉଁ ଜିଲ୍ଲା ପାଇଁ କେବେ ରହିଛି ସତର୍କତା ?
ପ୍ରବଳ ବର୍ଷା ଆଶଙ୍କା: ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ବ୍ୟତୀତ ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଭାରୀ ବର୍ଷାର ସମ୍ଭାବନା ରହିଛି।
୩ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ। ସେହିପରି ୪ ତାରିଖରେ ଏହି ଦୁଇ ଅଞ୍ଚଳ ସମେତ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଭଲ ବର୍ଷା ହେବାର ଆଶା ଅଛି। ୫ ତାରିଖ ବେଳକୁ ବର୍ଷାର ବିସ୍ତୃତି ବଢ଼ିବ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି।
ଗତ ୨୪ ଘଣ୍ଟାରେ କେଉଁଠି କେତେ ବର୍ଷିଛି ?
ବିଗତ ଦିନରେ ରାଜ୍ୟର ଅନେକ ସ୍ଥାନରେ ରେକର୍ଡ ସଂଖ୍ୟକ ବର୍ଷା ଦେଖିବାକୁ ମିଳିଛି। ସବୁଠାରୁ ଅଧିକ ବର୍ଷା ବୌଦ୍ଧ ଜିଲ୍ଲାରେ ହୋଇଛି, ଯେଉଁଠି ପ୍ରାୟ ୧୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନୁଗୁଳରେ ୯୨ ମିଲିମିଟର, ଜଗତସିଂହପୁରରେ ୬୦ ମିଲିମିଟର, ଫୁଲବାଣୀରେ ୫୯ ମିଲିମିଟର, ନୟାଗଡ଼ରେ ୫୩ ମିଲିମିଟର, ଦେବଗଡ଼ରେ ୫୨ ମିଲିମିଟର, ପୁରୀରେ ୪୬.୯ ମିଲିମିଟର, ଭୁବନେଶ୍ୱରରେ ୪୪ ମିଲିମିଟର, ବଲାଙ୍ଗୀରରେ ୪୦ ମିଲିମିଟର, ଭବାନୀପାଟଣା - ୩୫.୪ ମିଲିମିଟର ରେକର୍ଡ କରାଯାଇଛି।
ଅପରପକ୍ଷରେ, ବୁଧବାର ସକାଳଠାରୁ ସନ୍ଧ୍ୟା ମଧ୍ୟରେ କେନ୍ଦୁଝରରେ ୪୯ ମିଲିମିଟର, ବୌଦ୍ଧରେ ୨୭ ମିଲିମିଟର, ସୋନପୁରରେ ୨୫ ମିଲିମିଟର ଏବଂ ନବରଙ୍ଗପୁରରେ ୧୧.୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀ ଓ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।