କଟକ: ବହୁ ଚର୍ଚ୍ଚିତ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ଗିରଫ ପୁରୁଷ ବନ୍ଧୁ ତଥା ପୂର୍ବତନ ଓଏଏସ୍ ଭୀମସେନ ଟୁଡୁଙ୍କ କୋର୍ଟରୁ ଝଟକା ଲାଗିଛି । ଅଭିଯୁକ୍ତ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଗୁରୁବାର କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଭୀମସେନଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।
ଗତ ଶନିବାର ରାଜ୍ୟ ସରକାର ଭୀମସେନଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ନୂଆ କରି ନିଯୁକ୍ତି ପାଇଥିବା ଓଡ଼ିଶା ଟ୍ୟାକ୍ସେନ୍ ଆଣ୍ଡ୍ ଆକାଉଣ୍ଟ ସର୍ଭିସ୍ ଓଟିଏସି ଅଧିକାରୀ ଭୀମସେନ ଟୁଡୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ସେବାରୁ ବହିଷ୍କୃତ କରିଥିଲେ । ଭବିଷ୍ୟତରେ ମଧ୍ୟ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ । ସେ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଙ୍ଗ୍ ସମୟରେ ୨୦୨୬ ଜୁନ୍ ୪ ତାରିଖଠାରୁ ଅନୁପସ୍ଥିତ ଥିଲେ। ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ତାଙ୍କ ଶେଷ ପରୀକ୍ଷାରେ ମଧ୍ୟ ଯୋଗ ଦେଇନଥିଲେ । ସେହି ସମୟରେ ସେ ଏକ ମୃତ୍ୟୁ ମାମଲାରେ ବାରଙ୍ଗ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ଏବଂ ତାଙ୍କୁ ଜୁଡିସିଆଲ୍ କଷ୍ଟୋଡିକୁ ପଠାଯାଇଛି । ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସ ଦ୍ୱାରା ଅଟକ ଥିବାରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇ ତାଙ୍କୁ ସିଧାସଳଖ ସରକାରୀ ସେବାରୁ ବରଖାସ୍ତ କରାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ, ଚନ୍ଦ୍ରିକା ମୃତ୍ୟୁ ମାମଲାରେ ତାଙ୍କ ପରିବାର ଲୋକେ ଭୀମସେନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ । ଭୀମସେନ ବିବାହ ପ୍ରତିଶ୍ରୁତି ଦେଇ ଚନ୍ଦ୍ରିକାଙ୍କୁ ପ୍ରତାରଣା ଦେଇଥିଲେ । ତାଙ୍କ ରୂପ ଏବଂ ରଙ୍ଗକୁ ନେଇ ଆକ୍ଷେପ କରିବା ସହ ବିବାହ କରିବାକୁ ମନା କରିଦେଇଥିଲେ । ଯାହା ପରେ ଚନ୍ଦ୍ରିକା କାଠଯୋଡ଼ି ବ୍ରିଜରୁ ଡେଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ଦାୟୀ ବୋଲି ପରିବାର ଲୋକ ଏତଲା ଦେଇଥିଲେ । ପୋଲିସ ଅନେକ ସ୍ଥାନରେ ଚଢ଼ଉ କରିବା ପରେ ସେ ମୟୁରଭଞ୍ଜ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ ।