ଭୁବନେଶ୍ୱର: ଲଗାଣ ବର୍ଷା ଏବଂ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତିର ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଲୋକଙ୍କ ସୁରକ୍ଷା ଓ ସହରାଞ୍ଚଳରେ ନାଗରିକ ସେବାକୁ ବାଧାମୁକ୍ତ ରଖିବା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ବର୍ଷା ଋତୁରେ ଲୋକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଯେକୌଣସି ଜରୁରୀ ପରିସ୍ଥିତିକୁ ତୁରନ୍ତ ମୁକାବିଲା କରିବା ପାଇଁ ସମସ୍ତ ୟୁଏଲ୍ବି ପ୍ରସ୍ତୁତ ରହିବା ଆବଶ୍ୟକ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ଏନ୍ଏସିକୁ ସ୍ୱତନ୍ତ୍ର ପରାମର୍ଶ ଜାରି କରାଯାଇଛି। ବିଶେଷକରି ଜଳବନ୍ଦୀ ପ୍ରବଣ ଅଞ୍ଚଳ ଓ ତଳିଆ ଇଲାକାରେ ପୂର୍ବରୁ ସମସ୍ତ ପ୍ରତିଷେଧକ ପଦକ୍ଷେପ ନେବାକୁ କୁହାଯାଇଛି।
ସମସ୍ତ ୟୁଏଲ୍ବିକୁ ୨୪ ଘଣ୍ଟିଆ ନଜରଦାରି ବ୍ୟବସ୍ଥା ଜାରି ରଖିବା ସହ ରାପିଡ୍ ଆକ୍ସନ୍ ଟିମ୍ (RAT)କୁ ସବୁବେଳେ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୌର ଅଧିକାରୀ, ଯନ୍ତ୍ରୀ ଏବଂ ସଫେଇ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ଜଳବନ୍ଦୀ, ବନ୍ଦ ନାଳ, ଉପୁଡ଼ି ପଡ଼ିଥିବା ଗଛ, ଓଭରଫ୍ଲୋ ସ୍ୱେରେଜ୍ ଭଳି ସମସ୍ୟାର ତୁରନ୍ତ ସମାଧାନ କରିବାକୁ କୁହାଯାଇଛି।
ଏହାସହ ପମ୍ପ, ଡି-ୱାଟରିଂ ମେସିନ୍, ଜରୁରୀ ଉପକରଣ ଏବଂ ଉଦ୍ଧାର ସାମଗ୍ରୀ ସବୁବେଳେ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ବିଭାଗ ସହ ସମନ୍ୱୟ ରଖି ଶୀଘ୍ର ପଦକ୍ଷେପ ନେବାକୁ କୁହାଯାଇଛି।
ବର୍ଷା ସମୟରେ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ‘ସହର ସାଥୀ’ (୧୯୨୯) ହେଲ୍ପଲାଇନ୍କୁ ସକ୍ରିୟ କରାଯାଇଛି। ଜଳବନ୍ଦୀ, ଡ୍ରେନେଜ୍ ସମସ୍ୟା କିମ୍ବା ଅନ୍ୟ କୌଣସି ପୌର ସମସ୍ୟା ଦେଖିଲେ ନାଗରିକମାନେ ୧୯୨୯ ନମ୍ବରକୁ ଫୋନ୍ କରି ଅଭିଯୋଗ ଜଣାଇପାରିବେ। ସମ୍ପୃକ୍ତ ୟୁଏଲ୍ବି ତୁରନ୍ତ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବ।
ଡ. ମହାପାତ୍ର କହିଛନ୍ତି, ଆଗୁଆ ପ୍ରସ୍ତୁତି, ସକ୍ରିୟ ପଦକ୍ଷେପ ଏବଂ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଦ୍ୱାରା ଲଗାଣ ବର୍ଷାର ପ୍ରଭାବକୁ ଅନେକାଂଶରେ କମାଇ ହେବ। ସେପଟେ ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ବେଳେ ଆବଶ୍ୟକ ସହଯୋଗ ଯୋଗାଇ ସହରବାସୀଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ବୋଲି ସ୍ପଷ୍ଟ କରିଛି।