କଟକ: ଓଡ଼ିଶା ଆର୍ଥିକ ଅପରାଧ ଶାଖା (EOW) ୟୁକୋ ବ୍ୟାଙ୍କର ୩ କୋଟି ୨୫ ଲକ୍ଷ ଟଙ୍କାରୁ ଅଧିକ ଋଣ ଠକେଇ ମାମଲାରେ ବଡ଼ ସଫଳତା ପାଇଛି। ଏହି ମାମଲାରେ ୟୁକୋ ବ୍ୟାଙ୍କର କଟକ ପୁରୁଣା ସଚିବାଳୟ ଶାଖାର ପୂର୍ବତନ ବ୍ରାଞ୍ଚ ମୁଖ୍ୟ ଶିବ ପ୍ରସାଦ ଦାସଙ୍କୁ ଗିରଫ କରାଯାଇଛି। ବୁଧବାର କଟକର ତ୍ରିଶୁଳିଆ ଅଞ୍ଚଳରୁ ତାଙ୍କୁ ଗିରଫ କରିଥିବା EOW ସୂଚନା ଦେଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଶିବ ପ୍ରସାଦ ଦାସ ଜାଲ କାଗଜପତ୍ର ପ୍ରସ୍ତୁତ କରି ଏବଂ ବ୍ୟାଙ୍କର ରେକର୍ଡରେ ଜାଲିଆତି କରି ମୋଟ ୨୪ଟି ଋଣ ମଞ୍ଜୁର କରିଥିଲେ। ଏଥିରେ ୨୨ଟି କାର ଲୋନ୍ ଏବଂ ୨ଟି ବ୍ୟବସାୟିକ ଋଣ ରହିଥିଲା। ଏହି ସମସ୍ତ ଋଣର ମୂଲ୍ୟ ପ୍ରାୟ ୩ କୋଟି ୨୫ ଲକ୍ଷ ୪୩ ହଜାର ଟଙ୍କା।
ଅଭିଯୋଗ ଅନୁସାରେ, ସେ ଗାଡ଼ି କିଣିବା ପାଇଁ ଜାଲ କୋଟେସନ୍, ନକଲି ରେଜିଷ୍ଟ୍ରେସନ ସାର୍ଟିଫିକେଟ, ପରିବର୍ତ୍ତିତ ସିବିଲ୍ (CIBIL) ରିପୋର୍ଟ, ଜାଲ KYC ଦସ୍ତାବିଜ ଏବଂ ବୀମା କାଗଜପତ୍ର ପ୍ରସ୍ତୁତ କରି ଋଣ ଅନୁମୋଦନ କରୁଥିଲେ। ଏହାପରେ ଋଣର ସମସ୍ତ ଅର୍ଥ ନିଜ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରି ଆତ୍ମସାତ୍ କରିଥିବା ଅଭିଯୋଗ ରହିଛି।
ଠକେଇକୁ ଲୁଚାଇବା ପାଇଁ ସେ ଜାଲ ଋଣଗ୍ରହୀତାଙ୍କ ନାମରେ ବିନା ବୈଧ KYCରେ ସେଭିଂସ ଆକାଉଣ୍ଟ ଖୋଲିଥିଲେ। ପରେ ସେହି ଆକାଉଣ୍ଟରେ ନିଜେ ଟଙ୍କା ଜମା କରି ଋଣର କିସ୍ତି ନିୟମିତ ଭାବେ ପରିଶୋଧ ହେଉଥିବାର ମିଥ୍ୟା ଚିତ୍ର ସୃଷ୍ଟି କରୁଥିଲେ।
EOWର ସୂଚନା ଅନୁସାରେ, ଶିବ ପ୍ରସାଦ ଦାସ ସାଲେପୁର ଶାଖାରେ କାର୍ଯ୍ୟରତ ଥିବାବେଳେ ୧୬ଟି ଋଣ ମାଧ୍ୟମରେ ପ୍ରାୟ ୧.୮୫ କୋଟି ଟଙ୍କା ଏବଂ ପୁରୁଣା ସଚିବାଳୟ ଶାଖାରେ ଥିବା ସମୟରେ ୮ଟି ଋଣ ମାଧ୍ୟମରେ ପ୍ରାୟ ୧.୩୯ କୋଟି ଟଙ୍କାର ଠକେଇ କରିଥିଲେ।
ତଦନ୍ତ ବେଳେ EOW ୨୪ଟି ଲୋନ୍ ଫାଇଲ୍, ଜାଲ ଦରମା ସ୍ଲିପ୍, ନକଲି ଗାଡ଼ି କୋଟେସନ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି। ଅଭିଯୁକ୍ତଙ୍କୁ OPID ଆଇନ ଅନୁଯାୟୀ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ। ଘଟଣାରେ EOWର ତଦନ୍ତ ଜାରି ରହିଛି ଏବଂ ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ।