ଭୁବନେଶ୍ୱର: ଓଡ଼ିଶାର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ସରକାରୀ ସେବାକୁ ଲୋକଙ୍କ ପାଖରେ ଅଧିକ ସହଜରେ ପହଞ୍ଚାଇବା ଲକ୍ଷ୍ୟରେ ବୁଧବାର ଖାରବେଳ ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗର କାର୍ଯ୍ୟକଳାପର ସମୀକ୍ଷା କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ବିକାଶ ଆୟୁକ୍ତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସମସ୍ତ ବିଭାଗର ସଚିବମାନେ ଯୋଗଦେଇ ରାଜ୍ୟର ପ୍ରମୁଖ ଯୋଜନା ଓ ବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ଆଲୋଚନା କରିଥିଲେ।
ମୁଖ୍ୟ ଶାସନ ସଚିବ ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅପୂର୍ବ ଯୋଜନା ଏବଂ ସାର୍ବଜନୀନ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଭଳି ଯୋଜନାର ସଫଳତା ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ, କ୍ରୀଡ଼ା ଓ ଷ୍ଟାର୍ଟଅପ୍ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇଥିଲେ।
ବୈଠକରେ ଲୋକକୈନ୍ଦ୍ରିକ ପ୍ରଶାସନ, ସରକାରୀ ସେବାରେ ସ୍ୱଚ୍ଛତା ଓ ଦ୍ରୁତ ସେବା ପ୍ରଦାନ ପାଇଁ କୃତ୍ରିମ ବୁଦ୍ଧିମତା (AI) ଏବଂ ଡାଟା ଆନାଲିଟିକ୍ସର ବ୍ୟବହାର ଉପରେ ବିଶେଷ ଆଲୋଚନା ହୋଇଥିଲା। ନୀତି ପ୍ରସ୍ତୁତି ଏବଂ ସେବା ଉନ୍ନତିରେ ଏହି ଆଧୁନିକ ପ୍ରଯୁକ୍ତିକୁ ଅଧିକ ବ୍ୟବହାର କରିବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ଅର୍ଥ ବିଭାଗ ଜୁନ୍ ୩୦ ପର୍ଯ୍ୟନ୍ତର ଆର୍ଥିକ ସମୀକ୍ଷା ଉପସ୍ଥାପନ କରି କୃଷି, ସାମାଜିକ କଲ୍ୟାଣ ଓ ବିକାଶମୂଳକ ଯୋଜନାରେ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲା। ଏଥିସହ ବଜେଟ୍ର ସଠିକ୍ ବ୍ୟବହାର ଓ ଆର୍ଥିକ ଶୃଙ୍ଖଳା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଏଆଇ ଆଧାରିତ ଓଡ଼ିଆ ଭଏସ୍ ଫିଡ୍ବ୍ୟାକ୍ ବ୍ୟବସ୍ଥା ଏବଂ ପୁରୁଣା ହସ୍ତଲିଖିତ ରେକର୍ଡକୁ OCR ମାଧ୍ୟମରେ ଡିଜିଟାଲ କରିବା ଯୋଜନା ଉପସ୍ଥାପନ କରାଯାଇଥିଲା।
ଏହାସହ ଝାରସୁଗୁଡ଼ା ଜିଲ୍ଲା ପାଇଁ ୨୫ ଦଫା ବିକାଶ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଶିକ୍ଷା, ଶିଳ୍ପ, ପରିବହନ, ବିମାନ ସେବା, ଡିଜିଟାଲ ସୁବିଧା ଓ ସବୁଜ ଶକ୍ତି କ୍ଷେତ୍ରରେ ଏହି ଯୋଜନା ଜିଲ୍ଲାର ସାମଗ୍ରିକ ବିକାଶ ଓ ରୋଜଗାର ସୃଷ୍ଟିରେ ସହାୟକ ହେବ ବୋଲି କୁହାଯାଇଛି।
ବୈଠକ ଶେଷରେ ଅନୁ ଗର୍ଗ ସମସ୍ତ ବିଭାଗକୁ ପରସ୍ପର ସମନ୍ୱୟ ରଖି ପ୍ରଯୁକ୍ତିନିର୍ଭର ଓ ଜନମୁଖୀ ପ୍ରଶାସନ ମାଧ୍ୟମରେ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବାକୁ ଆହ୍ୱାନ ଜଣାଇଛନ୍ତି।