ଭୁବନେଶ୍ୱର: ବହୁଚର୍ଚ୍ଚିତ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାର ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି। ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି।
ରିମାଣ୍ଡରେ ଆସିଥିବା ତିନି ଅଭିଯୁକ୍ତ ହେଲେ ସ୍କାଇଲାବ ପତି, ବିସ୍ମୟ ମହାନ୍ତି ଏବଂ ପଞ୍ଚାନନ ବଡ଼ଜେନା। ସେମାନଙ୍କୁ ଝାରପଡା ଜେଲରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ କ୍ରାଇମବ୍ରାଞ୍ଚ ହେପାଜତକୁ ଅଣାଯାଇଛି। ଆସନ୍ତା ଦୁଇ ଦିନ ଧରି ସେମାନଙ୍କୁ ଘନଘନ ପଚରାଉଚରା କରାଯିବ।
କ୍ରାଇମବ୍ରାଞ୍ଚର ଲକ୍ଷ୍ୟ କେବଳ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ପଦାକୁ ଆଣିବା ନୁହେଁ, ବରଂ ଏହି ହତ୍ୟାକାଣ୍ଡରେ ଆଉ କିଏ କିଏ ସମ୍ପୃକ୍ତ ଥିଲେ ତାହାର ପ୍ରମାଣ ସଂଗ୍ରହ କରିବା। ତଦନ୍ତକାରୀ ଟିମ୍ ଭିଡିଓ ଫୁଟେଜ୍, ଡିଜିଟାଲ ପ୍ରମାଣ ଓ ଅନ୍ୟାନ୍ୟ ସୂଚନା ଆଧାରରେ ଫେରାର ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆଣିବାକୁ ଉଦ୍ୟମ କରୁଛି।
ସୂଚନାଯୋଗ୍ୟ, ଗତ ମେ ୭ ତାରିଖରେ ବାଲିଅନ୍ତା ଅଞ୍ଚଳର ଭିଙ୍ଗାରପୁରରେ ଦୁଇ ଯୁବତୀଙ୍କ ସହ ଏକ ସଡ଼କ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଛି। ତେବେ କିଛି ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ରିମାଣ୍ଡ ସମୟରେ ମିଳୁଥିବା ସୂଚନା ଏହି ହତ୍ୟା ମାମଲାର ଅନେକ ଅଜଣା ଦିଗକୁ ସାମ୍ନାକୁ ଆଣିପାରେ ବୋଲି ଆଶା କରାଯାଉଛି।