ବଲାଙ୍ଗିର ଜିଲ୍ଲାର ତୁରେକେଲା ଥାନା ଅଧୀନ ବାଙ୍ଗୋମୁଣ୍ଡା ବନାଞ୍ଚଳର ଜୁବାମାଲ ଗାଁରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ପୁଲିସ ବୁଧବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁଣ୍ଡାପଡ଼ା ଗାଁର ପୀତାମ୍ବର ପୁଟା ଓ ଦିବାକର ପୁଟା, ଏବଂ ଜୁବାମାଲ ଗାଁର ଗୋକୁଳ ଚରଣ ଅଡ଼ଜୁଆଡ଼, କୃଷ୍ଣ ଚରଣ ଅଡ଼ଜୁଆଡ଼, ମଧୁ ଅଡ଼ଜୁଆଡ଼, ଟିକାରାମ ଅଡ଼ଜୁଆଡ଼ ଓ ଭୋଜରାମ ପୁଟା।
ସୂଚନା ଅନୁଯାୟୀ, ଜୁନ ୩୦ ତାରିଖରେ ବନ ବିଭାଗର ଏକ ଟିମ୍ ଅଞ୍ଚଳରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲେ। ସେଠାରେ ଜଙ୍ଗଲ ଜମି ବିବାଦକୁ ନେଇ କିଛି ସ୍ଥାନୀୟ ଲୋକଙ୍କ ସହ ବଚସା ହୋଇଥିଲା। ଏହି ବଚସା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।
ଅଭିଯୋଗ ଅନୁସାରେ, କିଛି ଲୋକ ଜଣେ ଫରେଷ୍ଟରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଖବର ପାଇ ଅନ୍ୟ ବନ କର୍ମଚାରୀ ଓ ପାରା ସ୍କ୍ୱାଡ୍ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ମୋଟ ୬ ଜଣ ବନ କର୍ମଚାରୀ ଆହତ ହୋଇଥିଲେ।
ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ତାହାର ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି (ବୁଧବାର) ଆଉ ୨ ଜଣଙ୍କୁ ଧରାଯାଇଛି। ଏହି ଆକ୍ରମଣରେ ବର୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଥିବେ ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।