ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ବଡ଼ ବିଭ୍ରାଟ ପରେ ଚାରି ଆଡ଼ୁ ରାଜ୍ୟ ସରକାରଙ୍କୁ ସମାଲୋଚନାର ଶୀକାର ହେବାକୁ ପଡ଼ୁଛି । ପିଲାଙ୍କୁ ନୂତନ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଚାପ ପଡ଼ୁଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଖୁବ ଶୀଘ୍ର ସଂଶୋଧିତ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଳା ନାଏକ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି ।
ଶିକ୍ଷା ସଚିବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପାଠ୍ୟ ପୁସ୍ତକ ତ୍ରୁଟିକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି । ପିଲାଙ୍କୁ ତ୍ରୁଟି ଶୂନ୍ୟ ପାଠ୍ୟ ପୁସ୍ତକରେ ପଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତ୍ରୁଟି ଗୁଡ଼ିକୁ ତର୍ଜମା କରାଯାଉଛି । ପିଲାଙ୍କୁ ଖୁବ ଶୀଘ୍ର ସଂଶୋଧିତ ନୂତନ ବହି ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ସଂଶୋଧିତ ପାଠ୍ୟ ପୁସ୍ତକ ପ୍ରଥମେ ଗଣ ଶିକ୍ଷା ବିଭାଗ ୱେବସାଇଟ ଏବଂ ଓସେପା ୱେବସାଇଟରେ ଅପଲୋଡ୍ କରାଯିବ । ବିଶେଷଜ୍ଞ ଏବଂ ଜନସାଧାରଣ ନିଜର ମତାମତ ଦେବେ । ଶିକ୍ଷକମାନଙ୍କୁ ସଂଶୋଧିତ ପୁସ୍ତକ ଦିଆଯିବ । ଶିକ୍ଷକମାନେ ସଂଶୋଧିତ ବହିରେ ପାଠ ପଢ଼ା ଜାରି ରଖିବେ । ଏହାରି ମଧ୍ୟରେ ଯଥା ଶୀଘ୍ର ପିଲାଙ୍କୁ ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ।
ଏହା ସହିତ ଯେଉଁମାନେ ପାଠ୍ୟ ପୁସ୍ତକ ପ୍ରସ୍ତୁତିରେ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।