କନ୍ଧମାଳ: ଲୋକଙ୍କ ବିକାଶ ପାଇଁ ଆସିଥିବା ସରକାରୀ ଅର୍ଥ ଆତ୍ମସାତ । ମନରେଗା ଯୋଜନାରେ ୪୨ ଲକ୍ଷ ଟଙ୍କା ହେରଫେର କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ କନ୍ଧମାଳ ଜିଲ୍ଲାର କୋଟାଗଡ଼ ବ୍ଲକର ଦୁଇ ଯନ୍ତ୍ରୀଙ୍କୁ ଗିରଫ କରିଛି । କୋଟାଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଗିରଫ ହୋଇଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବ୍ଲକରେ ମନରେଗା ଯୋଜନାରେ ଉନ୍ନୟନ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ସରକାରୀ ପାଣ୍ଠିରେ ୪୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହେରଫେର ସହିତ ଜଡିତ ଆର୍ଥିକ ଠକେଇ ଅଭିଯୋଗ ପରେ ଏହି ଗିରଫଦାରୀ ହୋଇଛି। ଧାରାକୋଟ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅମୃତ ସରୋବର (ପୋଖରୀ) ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ଅର୍ଥର ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୫-୨୬ ମଧ୍ୟର ଏହି ଦୁର୍ନୀତି ହୋଇଥିଲା । ଯାଞ୍ଚ ସମୟରେ ସରକାରୀ ଦସ୍ତାବିଜ ସହିତ ପ୍ରକୃତ କାମର ତାଳମେଳ ରହିନଥିବା ପରିଲକ୍ଷିତ ହୋଇଥିଲା ।
ସରକାରୀ ରେକର୍ଡରୁ ଜଣାପଡିଛି ଯେ ପ୍ରକଳ୍ପଗୁଡ଼ିକ ପାଇଁ ୪୯ ଲକ୍ଷ ୮୩ ହଜାର ୯୯୫ ଟଙ୍କା ମଞ୍ଜୁର କରାଯାଇଥିଲା । କିନ୍ତୁ ବୈଷୟିକ ମୂଲ୍ୟାଙ୍କନରୁ ଜଣାପଡିଛି ଯେ ପ୍ରକୃତରେ ମାତ୍ର ୭ ଲକ୍ଷ ୪୨ ହଜାର ୩୫୭ ଟଙ୍କାର କାମ ହୋଇଛି । ବାକି ୪୨ ଲକ୍ଷ ଟଙ୍କା ଏହି ଦୁଇ ଯନ୍ତ୍ରୀଙ୍କ ପକଟେକୁ ଯାଇଥିଲା । ସେହିପରି ମନରେଗା ନିର୍ଦ୍ଦେଶାବଳୀ ଅନୁଯାୟୀ, କୌଣସି ଅନ୍ତିମ ଆର୍ଥିକ ବିଲ୍ ପ୍ରସ୍ତୁତ କରିବା କିମ୍ବା କ୍ଲିଇର୍ କରିବା ବେଳେ ଡିଜିଟାଲ୍ ଜିଓ-ଟ୍ୟାଗିଂ ବାଧ୍ୟତାମୂଳକ। କିନ୍ତୁ ଏହି ନିର୍ଦ୍ଦେଶାବଳୀ ମଧ୍ୟ ପାଳନ କରାଯାଇନାହିଁ । ଏ ସମସ୍ତ ଦିଗକୁ ତର୍ଜମା କରି ଭିଜିଲାନ୍ସ ଦୁଇ ଯନ୍ତ୍ରୀଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ।