ଲଗାଣ ବର୍ଷାରେ ଭିଜୁଛି କନ୍ଧମାଳ। ଜିଲ୍ଲାରେ ଗତ କିଛି ଦିନ ଧରି ଲଗାତାର ପ୍ରବଳ ବର୍ଷା ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବଡ଼ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଜୁଲାଇ ୨ ଓ ୩ ତାରିଖ ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ କନ୍ଧମାଳ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।
ଏହି ନିର୍ଦ୍ଦେଶ ଅନୁଯାୟୀ, ପ୍ରାକ୍-ପ୍ରାଥମିକରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟରେ ଯାତାୟାତ ବ୍ୟାହତ ହେବା ସହ ଛୋଟ ପିଲାମାନଙ୍କ ସ୍କୁଲ ଯିବାରେ ସମସ୍ୟା ସୃଷ୍ଟି ହୋଇପାରେ। ସେଥିପାଇଁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ତେବେ ସ୍କୁଲ ବନ୍ଦ ଥିଲେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ହିଁ ଚାଲିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।ପାଣିପାଗ ବିଭାଗ ଆଗାମୀ ଦିନରେ ମଧ୍ୟ ବର୍ଷା ଜାରି ରହିବାର ସମ୍ଭାବନା ପ୍ରକାଶ କରିଥିବା ବେଳେ, ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛି।