ଓଡ଼ିଶା ପୁଣିଥରେ ଭାରତୀୟ ହକିକୁ ଦେଇଛି ନୂଆ ପିଢ଼ିର ତାରକା। ଭାରତୀୟ ଜୁନିୟର ପୁରୁଷ ଜାତୀୟ ହକି ଦଳର ବେଲଜିୟମ ଗସ୍ତ ପାଇଁ ଓଡ଼ିଶାର ୯ ଜଣ ପ୍ରତିଭାବାନ ଖେଳାଳି ଚୟନ ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି।
ଭାରତୀୟ ଜୁନିୟର ହକି ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ଖେଳାଳିମାନେ ହେଲେ ଅନମୋଲ ଏକ୍କା, ଆଦ୍ରୋହିତ ଏକ୍କା, ରୋହିତ କୁଲୁ, ମୁକେଶ ଟପ୍ପୋ, ବିବେକ ଲାକ୍ରା, ସଞ୍ଜିତ ତିର୍କୀ, ପ୍ରଶାନ୍ତ ବାର୍ଲା, ଋତ୍ତିକ ଲାକ୍ରା ଓ ଆର୍ୟନ ଖେସ। ବେଲଜିୟମ ଗସ୍ତ ସମୟରେ ଏହି ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ ସ୍ତରର ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳି ନିଜ ଦକ୍ଷତା ପ୍ରଦର୍ଶନ କରିବେ।
ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଶୁଭେଚ୍ଛା ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ୯ ଜଣ ଖେଳାଳିଙ୍କ ଜାତୀୟ ଦଳରେ ଚୟନ ରାଜ୍ୟ ପାଇଁ ଗର୍ବର ବିଷୟ। ଏହା ଓଡ଼ିଶାର ସମୃଦ୍ଧ ହକି ପରମ୍ପରା ଓ 'ପଡ଼ିଆରୁ ପୋଡିୟମ୍' ଲକ୍ଷ୍ୟର ସଫଳ ପ୍ରତିଫଳନ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମତରେ, ରାଜ୍ୟ ସରକାରଙ୍କ କ୍ରୀଡ଼ା ପ୍ରୋତ୍ସାହନ ନୀତି ଫଳରେ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରୁ ଅନେକ ପ୍ରତିଭା ଆଗକୁ ଆସୁଛନ୍ତି। ଭିତ୍ତିଭୂମିର ବିକାଶ, ଉନ୍ନତ ପ୍ରଶିକ୍ଷଣ ଓ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଯୋଗୁଁ ଓଡ଼ିଶା ଆଜି ଭାରତୀୟ ହକିର ଅନ୍ୟତମ ପ୍ରମୁଖ କେନ୍ଦ୍ର ପାଲଟିଛି।
ଦୀର୍ଘ ବର୍ଷ ଧରି ଭାରତୀୟ ହକିକୁ ଅନେକ ଆନ୍ତର୍ଜାତୀୟ ଖେଳାଳି ଭେଟି ଦେଇଆସୁଥିବା ଓଡ଼ିଶା ପୁଣିଥରେ ନିଜର ଦବଦବା ପ୍ରମାଣ କରିଛି। ଏକାଥରେ ୯ ଜଣ ଖେଳାଳିଙ୍କ ଜାତୀୟ ଜୁନିୟର ଦଳରେ ଚୟନ କେବଳ ରାଜ୍ୟ ପାଇଁ ଗର୍ବର ବିଷୟ ନୁହେଁ, ବରଂ ହକି କ୍ଷେତ୍ରରେ ଓଡ଼ିଶାର ବଢ଼ୁଥିବା ସାମର୍ଥ୍ୟର ଆଉ ଏକ ପ୍ରମାଣ।
ବେଲଜିୟମ ଗସ୍ତରେ ଏହି ଯୁବ ହକି ତାରକାମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ଓ ଭାରତର ନାମ ଉଜ୍ଜ୍ୱଳ କରିବେ ବୋଲି ସମଗ୍ର ରାଜ୍ୟବାସୀ ଆଶା ପ୍ରକାଶ କରିଛନ୍ତି।