ମୁୁମ୍ବାଇ: ଶିବସେନା ୟୁବିଟିରୁ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି ସମେତ ଅନେକ ଦଳଗୁଡିକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି । ସେ ଚ୍ୟାଲେଞ୍ଜ ଦେଇଛନ୍ତି, ଏକ ଘଣ୍ଟା ଇଡି ଓ ସିବିଆଇର ନିୟନ୍ତ୍ରଣ ତାଙ୍କ ହାତରେ ଦିଆଯାଉ । ଏହା ସହ ଅଭିଯୋଗ କରିଛନ୍ତି ଯେ, ୩୫ କୋଟି ଟଙ୍କା ଜରିଆରେ ତାମିଲନାଡୁରେ ବିଧାୟକଙ୍କୁ କିଣିବା ଏବଂ ରାଜ୍ୟ ସରକାରକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରାଯାଇଛି ।
ସେ କହିଛନ୍ତି, ଯେଉଁ ଦିନ ଏହି ଲୋକେ କ୍ଷମତାରେ ରହିବେ ନାହିଁ ଏବଂ ଏସବୁ ଏଜେନ୍ସି ଆମ ହାତକୁ ଚାଲି ଆସିବ, ସେହି ସମୟରେ ବିଜେପି ୧୦ ଖଣ୍ଡ ହୋଇଯିବ ଏବଂ ସେ ପୁଣି ୧୦ ମିନିଟରେ । ଗୋଟିଏ ବି ପାର୍ଟି ବି ବଞ୍ଚିବ ନାହିଁ । ନା ସିନ୍ଦେ ବଞ୍ଚିବ, ନା ଅଜିତ ପାୱାର ଗୋଷ୍ଠୀ ବଞ୍ଚିବ, ନା ବିଜେପି ବଞ୍ଚିବ । ଗୋଟିଏ ଘଣ୍ଟା ପାଇଁ ଇଡି ସିବିଆଇ ଆମକୁ ଦେଇ ଦିଅ ।
ସଞ୍ଜୟ ରାଉତ ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଯେ, ଯେଉଁମାନେ ଆଜି କ୍ଷମତାର ଅହଙ୍କାରରେ ବିରୋଧୀଙ୍କୁ ହଇରାଣ କରୁଛନ୍ତି, ସେମାନଙ୍କ ଦିନ ମଧ୍ୟ ଶେଷ ହେବାକୁ ଯାଉଛି। ମହାରାଷ୍ଟ୍ରରେ ଚାଲିଥିବା ଏହି ଅସାମ୍ବିଧାନିକ ସରକାର ବହୁତ ଶୀଘ୍ନ ଭାଙ୍ଗିବାକୁ ଯାଉଛି। ଆଜି ଯେଉଁ ନେତାମାନେ ବିଜେପି ସହ ମିଶି କ୍ଷମତା ଭୋଗୁଛନ୍ତି ଏବଂ ତଦନ୍ତକାରୀ ସଂସ୍ଥାର ଭୟ ଦେଖାଉଛନ୍ତି, ସେମାନେ ନିଜ ପାଇଁ ଜେଲ୍ରେ କୋଠରୀ ବୁକ୍ କରି ରଖନ୍ତୁ।ସରକାର ବଦଳିବା ମାତ୍ରେ ଏହି ସମସ୍ତ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଜେଲ୍ ପଠାଯିବ ଏବଂ ସେମାନଙ୍କ ହିସାବ କରାଯିବ।"
ମହାରାଷ୍ଟ୍ର ରାଜନୀତିରେ ହଲଚଲ୍
ଆଗାମୀ ଦିନରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଉଦ୍ଧବ ଠାକରେ ଗୋଷ୍ଠୀ ଏବଂ ସିନ୍ଦେ-ବିଜେପି ମେଣ୍ଟ ମଧ୍ୟରେ ଲଢ଼େଇ ଆହୁରି ଉଗ୍ର ରୂପ ନେଇଛି। ସଞ୍ଜୟ ରାଉତଙ୍କ ଏହି ବୟାନ ପରେ ବିଜେପି ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ) ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଉଛି। ରାଉତ ନିଜେ ପୂର୍ବରୁ ଜେଲ୍ ଯାଇ ଫେରିଥିବାରୁ ତାଙ୍କର ଏହି 'ଜେଲ୍' ଚେତାବନୀ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।
Also Read: ପଞ୍ଜାବ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା! ଦଳ ଛାଡ଼ିପାରନ୍ତି ବରିଷ୍ଠ ନେତା ମନୀଷ ତିୱାରୀ