ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ। ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ଏକ ୧୨୫ ବର୍ଷର ପୁରାତନ ଐତିହାସିକ ଗୁରୁଦ୍ୱାରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଐତିହାସିକ ସ୍ମାରକୀର ମାନ୍ୟତା ପାଇଥିବା 'ଶ୍ରୀ ଗୁରୁ ସିଂ ସଭା ସାହିବ' ଗୁରୁଦ୍ୱାରକୁ ଜଣେ ସ୍ଥାନୀୟ ବ୍ୟବସାୟୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ରହୁଥିବା ଶିଖ୍ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସେମାନେ ଏହା ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଅପରପକ୍ଷରେ ଭାରତ ସରକାର ମଧ୍ୟ ଏହି ଘଟଣାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି।
ପାକିସ୍ତାନ ପ୍ରଶାସନର ସୂଚନା ଅନୁଯାୟୀ, ଫାରୁକାବାଦରେ ଅବସ୍ଥିତ ଏହି ପବିତ୍ର ଗୁରୁଦ୍ୱାରକୁ ଗତ ଜୁନ୍ ୨୪ ତାରିଖ ବିଳମ୍ବିତ ରାତିରେ ଭଙ୍ଗାଯାଇଥିଲା। ଏହି ଭଙ୍ଗାରୁଜା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଆବଶ୍ୟକୀୟ ଅନାପତ୍ତି ପ୍ରମାଣପତ୍ର (NOC) ନିଆଯାଇ ନଥିଲା। ସ୍ଥାନୀୟ ପ୍ରଶାସନ କିମ୍ବା ଇଭାକ୍ୟୁଇ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ ଏହି ସମ୍ବେଦନଶୀଳ ମାମଲାରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଚିନ୍ତାର ବିଷୟ ପାଲଟିଛି।
ପାକିସ୍ତାନ ଉପରେ ବର୍ଷିଲା ଭାରତ, ମାଗିଲା ଜବାବ
ନୂଆଦିଲ୍ଲୀ ପକ୍ଷରୁ ଏହି ଲଜ୍ଜାଜନକ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ଶିଖ୍ ସମ୍ପ୍ରଦାୟର ପବିତ୍ର ଧାର୍ମିକ ସ୍ଥଳ ଉପରେ କରାଯାଇଥିବା ଏକ ଅତି ନିନ୍ଦନୀୟ ଏବଂ ଜାଣିଶୁଣି କରାଯାଇଥିବା ଆକ୍ରମଣ। ପାକିସ୍ତାନ ସରକାର ଏହି ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ। ଭଙ୍ଗାଯାଇଥିବା ପବିତ୍ର ଗୁରୁଦ୍ୱାରର ସମସ୍ତ ଅଂଶକୁ ପୁନର୍ବାର ନିର୍ମାଣ କରାଯାଉ। ପାକିସ୍ତାନରେ ବସବାସ କରୁଥିବା ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରାଯାଉ।
Also Read: ରାମ ମନ୍ଦିରରେ ଦାନ ଚୋରି ବିବାଦ: ସୁରକ୍ଷା ସଂସ୍ଥାରେ କାମ କରୁଥିଲେ ଗିରଫ ଆଠ କର୍ମଚାରୀଙ୍କ ମଧ୍ୟରୁ ୬ଜଣ