ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଜଙ୍ଗଲରେ ପୁଣି ସାମ୍ନାକୁ ଆସିଛି ବନ୍ୟଜନ୍ତୁ ଚୋରାଶିକାରର ଭୟଙ୍କର ଚିତ୍ର। ଏକ ସ୍ୱତନ୍ତ୍ର ଆଣ୍ଟି-ପୋଚିଂ ଅଭିଯାନରେ ବନ ବିଭାଗ ଦୁଇଜଣ ବନ୍ୟଜନ୍ତୁ ତସ୍କରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ବାଘ ଚମଡ଼ା ଜବତ କରିଛି। ଏହି ଘଟଣା ସୀମାବର୍ତ୍ତୀ ଜଙ୍ଗଲରେ ସକ୍ରିୟ ଚୋରାଶିକାରୀ ଚକ୍ରକୁ ନେଇ ପୁଣି ଚିନ୍ତା ବଢ଼ାଇଛି।
ଉଦନ୍ତି-ସୀତାନଦୀ ଟାଇଗର ରିଜର୍ଭର ଉପ-ନିର୍ଦ୍ଦେଶକ ବରୁଣ ଜୈନଙ୍କ ସୂଚନା ଅନୁଯାୟୀ, ବାଘ ଚମଡ଼ା ଚୋରାଚାଲାଣ ନେଇ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆଣ୍ଟି-ପୋଚିଂ ଟିମ୍ ବୁଧବାର ଭାନୁପ୍ରତାପପୁର ଗାଁ ନିକଟରେ ଚଢ଼ାଉ କରିଥିଲା। ଅଭିଯାନ ସମୟରେ ଦୁଇଜଣ ସନ୍ଦିଗ୍ଧଙ୍କୁ କାବୁ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ଏକ ବାଘ ଚମଡ଼ା ଜବତ ହୋଇଥିଲା।
ପଚରାଉଚରା ବେଳେ ଅଭିଯୁକ୍ତମାନେ ଇନ୍ଦ୍ରାବତୀ-ଅବୁଝମାଡ଼ ଜଙ୍ଗଲ ଅଞ୍ଚଳରେ ବାଘ ଶିକାର କରିଥିବା କଥା ସ୍ୱୀକାର କରିଥିବା ବନ ବିଭାଗ କହିଛି। ଗିରଫ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।
ଏହି ଜବତ ଓଡ଼ିଶାର ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଛତିଶଗଡ଼ର ଉଦନ୍ତି-ସୀତାନଦୀ ଟାଇଗର ରିଜର୍ଭ ସୀମା ନିକଟରେ ହୋଇଥିବା ବେଳେ, ଗତ କିଛି ବର୍ଷ ଧରି ଏହି ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଓ ଚୋରାଚାଲାଣ ଘଟଣା ବଢ଼ୁଥିବା ଚିନ୍ତାର ବିଷୟ ପାଲଟିଛି।
ବନ ଅଧିକାରୀଙ୍କ କହିବାନୁସାରେ, ସୀମାବର୍ତ୍ତୀ ଜଙ୍ଗଲରେ ମାଓବାଦୀ କାର୍ଯ୍ୟକଳାପ କମିବା ପରେ ଚୋରାଶିକାରୀ ଚକ୍ର ଅଧିକ ସକ୍ରିୟ ହୋଇପଡ଼ିଛି। ତେଣୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଓଡ଼ିଶା ଓ ଛତିଶଗଡ଼ ବନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ କଡ଼ା ନଜରଦାରି ଏବଂ ମିଳିତ ଅଭିଯାନ ଆହୁରି ଜୋରଦାର କରିବାର ଆବଶ୍ୟକତା ରହିଛି।