ଢେଙ୍କାନାଳ: ପାଣି ନ ମିଳିବାରୁ ଢେଙ୍କାନାଳ ସହର ପୌରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ ଚାନ୍ଦମାରୀ ସାହିର ବାସିନ୍ଦା । ଶତାଧିକ ଲୋକେ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗରା ବାଲତି ରଖି ପ୍ରତିବାଦ କରିଛନ୍ତି । ଯେପର୍ଯ୍ୟନ୍ତ ପାଣି ନ ମିଳିଛି ସେପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଗତ ଚାରି ଦିନ ହେବେ ଢେଙ୍କାନାଳ ସହର ଚାନ୍ଦମାରୀ ସାହିରେ ସପ୍ଲାଏ ପାଣି ଆସୁନି । ସାହିରେ ପାଣି ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ । କୂଅ କିମ୍ବା ନଳକୂପ ମଧ୍ୟ ନାହିଁ । ବର୍ଷ ତମାମ ପିଏଚଡି ସପ୍ଲାଏ ପାଣି ଉପରେ ନିର୍ଭରଶୀଳ ଏଠିକାର ବାସିନ୍ଦା। ପୂର୍ବରୁ ପିଇବା ପାଣିର ସମସ୍ୟା ନେଇ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଦାବି ପତ୍ର ଦିଆଯାଇଥିଲା। ଲୋକେ ଅଭିଯୋଗ କରିବା ପରେ ମଧ୍ୟ ପାଣି ଯୋଗାଇ ଦେବାକୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ବାଧ୍ୟ ହୋଇ ସାହିର ସମସ୍ତ ଲୋକେ ଆଜି ପିଏଚଡି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି ।