କେନ୍ଦୁଝର: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଆକ୍ସନ୍ ମୋଡ୍ରେ ପ୍ରଶାସନ। ୧୩ ଜଣ ଜୁଆଙ୍ଗ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଦାଦନ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗଙ୍କ ବିରୋଧରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନାରେ ଏତଲା ଦାଖଲ କରିଛି ଜିଲ୍ଲା ଶ୍ରମ ବିଭାଗ।
ଜିଲ୍ଲା ଅତିରିକ୍ତ ଶ୍ରମ କମିଶନରଙ୍କ ସୂଚନା ଅନୁଯାୟୀ, ଯେଉଁ ଥାନା ଅଞ୍ଚଳର ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି, ସେହି ସମସ୍ତ ଥାନାରେ ମଧ୍ୟ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗଙ୍କ ନାମରେ ପୃଥକ ଏତଲା ଦାଖଲ କରାଯିବ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ମୃତ ୧୩ ଜଣ ଜୁଆଙ୍ଗ ମହିଳା ଶ୍ରମିକଙ୍କ ମଧ୍ୟରୁ ୬ ଜଣ ନାବାଳିକା ଥିବା ସାମ୍ନାକୁ ଆସିଛି। ଏହି ଘଟଣା ଦାଦନ ଶ୍ରମିକଙ୍କ ସୁରକ୍ଷା ଓ ମାନବ ଚାଲାଣକୁ ନେଇ ପୁଣିଥରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ଅଧିକାରୀଙ୍କ କହିବା ଅନୁଯାୟୀ, ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ବିଭିନ୍ନ ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ ତାମିଲନାଡୁ ନେଇଯାଇଥିଲେ। ସେଠାରେ ସେମାନଙ୍କୁ ବିପଦପୂର୍ଣ୍ଣ ପରିସ୍ଥିତିରେ କାମ କରାଯାଉଥିବା ଅଭିଯୋଗ ରହିଛି। ଏପରିକି ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ନାମରେ କାମ କରୁଥିବା ତଥ୍ୟ ମଧ୍ୟ ତଦନ୍ତରେ ସାମ୍ନାକୁ ଆସିଛି।
ଏହି ଦୁର୍ଘଟଣା ପରେ ୫୮ ଜଣ ଶ୍ରମିକ କେନ୍ଦୁଝରକୁ ଫେରିଆସିଛନ୍ତି। ସେମାନଙ୍କୁ ନିଜ ଜିଲ୍ଲାରେ କିପରି ରୋଜଗାରର ସୁଯୋଗ ଯୋଗାଇ ଦିଆଯିବ, ସେନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।
ଏପଟେ ଶ୍ରୀକାନ୍ତ ଜୁଆଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ, ତାଙ୍କ ବିରୋଧରେ ସମସ୍ତ ପ୍ରଯୋଜ୍ୟ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଅତିରିକ୍ତ ଶ୍ରମ କମିଶନର ସ୍ପଷ୍ଟ କରିଛନ୍ତି।