ଭୁବନେଶ୍ୱର: ଭଦ୍ରକରେ ବିଜେଡ଼ିର ବଡ଼ ବିପର୍ଯ୍ୟୟ । ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ମଣ୍ଡଳ ଦମ୍ପତି । ବିଜେଡ଼ିର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବୁଧବାର ବିଜେପିରେ ମିଶିଛନ୍ତି । ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସେ ପଦ୍ମ ଧରିଛନ୍ତି । ସେହିପରି ବିଧାୟିକା ପ୍ରାର୍ଥୀ ସୁବାସିନୀ ସାହୁ ଏବଂ ଶଶି ସାହୁ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ତାଙ୍କୁ ସ୍ୱାଗତ କରିଛନ୍ତି ।
ଅନ୍ୟ ବିଜେଡ଼ି ନେତୃବୃନ୍ଦ ତଥା ସିମୁଲିଆ ବିଧାୟକ ପ୍ରାର୍ଥୀ ସୁବାସିନି ସାହୁ, ଶଶି ସାହୁ, ଭଦ୍ରକ ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ପ୍ରଣୟ ଦାସ ଏବଂ ବିଜେଡିର ପୂର୍ବତନ ଜିଲ୍ଲା ସଭାପତିଙ୍କ ସମେତ ଅନେକ ନେତା ବିଜେପିରେ ଯୋଗ ଦେଇଛନ୍ତି ।
ମଞ୍ଜୁଲତା ମଣ୍ଡଳ ୨୦୧୯ ସଂସଦୀୟ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ସେ ବିଜେପିର ଅଭିମନ୍ୟୁ ସେଠୀଙ୍କୁ ପରାସ୍ତ କରିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ସେ ଅଭିମନ୍ୟୁ ସେଠୀଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୪ ନିର୍ବାଚନରେ ମୁକ୍ତିକାନ୍ତ ମଣ୍ଡଳ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ବିଜେପିର ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଆଉ ଟିକେଟ୍ ମିଳିନଥିଲା ।
ଏପ୍ରିଲ 6 ତାରିଖରେ ମଣ୍ଡଳ ଦମ୍ପତିଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବିତ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ପରେ ମଣ୍ଡଳ ଦମ୍ପତି ଦଳରୁ ଇସ୍ତଫା ଦେଇଥିଲେ ।