ଭୁବନେଶ୍ୱର: ରାଜ୍ୟ ରାଜନୈତିରେ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଛନ୍ତି ଆଉ ଜଣେ ପ୍ରଶାସନିକ ଅଧିକାରୀ । ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ପାଣ୍ଡିଆନ ଶଙ୍ଖ ଧରିଛନ୍ତି । ଗୁରୁବାର ଭୁବନେଶ୍ୱରସ୍ଥିତ ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଦଳରେ ସୁଜାତା ପାଣ୍ଡିଆନ ଯୋଗ ଦେଇଛନ୍ତି । ଖୋଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ଆଜି ନବୀନଙ୍କ ନିର୍ଦ୍ଦେଶ ମୁତାବକ, ଦଳର ବହୁ ତୁଙ୍ଗ ନେତା ଶଙ୍ଖ ଭବନରେ ପହଁଚିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଟୁକୁନି ସାହୁ, କଟକ ମେୟର ସୁବାଷ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଧ୍ରୁବ ସାହୁ, ଚନ୍ଦ୍ରଶେଖର ସାହୁ, ସ୍ନେହାଙ୍ଗିନୀ ଛୁରିଆ ଓ ପଦ୍ମନାଭ ବେହେରା ପ୍ରମୁଖ ଆହୂତ ବୈଠକରେ ଯୋଗ ଦେଇଥିଲେ । ଏହା ପରେ ଦଳର ସଭାପତି ସୁଜାତା କାର୍ତ୍ତିକେୟନଙ୍କ ନାମ ଘୋଷଣା କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଥିବା ୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଗତବର୍ଷ ମାର୍ଚ୍ଚରେ ସେ ଭିଆରଏସ୍ ନେଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ପରେ ମେ ୩୧ରୁ ପ୍ରଭାବଶାଳୀ ଆଇଏଏସ ଅଧିକାରୀ ତଥା ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଯାଇଥିଲେ । ପିଲାଙ୍କ ପାଠ ପଢ଼ା ପାଇଁ ସେ ଛୁଟିରେ ଯାଇଥିଲେ । ଏହା ପରେ ପୁଣି ଥରେ ଆଉ ୬ ମାସ ଛୁଟି ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ ସୁଜାତା। ତାଙ୍କ ଆବେଦନ ଅଗ୍ରାହ୍ୟ କରି ନଭେମ୍ବର ୨୭, ୨୦୨୪ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଏହା ପରେ ସେ ନଭେମ୍ବର ୨୭ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।
ବିଜେଡି ସରକାରରେ ସେ ମିଶନ ଶକ୍ତି ବିଭାଗର ସଚିବ ଥିଲେ । କିନ୍ତୁ ଗତ ସାଧାରଣ ନିର୍ବାଚନରେ ନିଜ ପଦର ଦୁରୁପଯୋଗ କରି ମିଶନ ଶକ୍ତିରେ ଥିବା ରାଜ୍ୟର ମହିଳାଙ୍କୁ ବିଜେଡିରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ଆୟୋଗ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତାଙ୍କୁ ମିଶନ୍ତ ଶକ୍ତି ବିଭାଗରୁ ବଦଳି କରି ଦେଇଥିଲେ। ବିଜେପି ସରକାରକୁ ଆସିବା ମାତ୍ରେ ସୁଜାତା ନିଜ ପିଲାଙ୍କ ଯତ୍ନ ନେବା କାରଣ ଦର୍ଶାଇ ତୁରନ୍ତ ଛଅ ମାସ ଛୁଟିରେ ଯିବାକୁ ଜୁନ ୬ ତାରିଖରେ ଆବେଦନ କରିଥିଲେ ।