ଭୁବନେଶ୍ୱର: ବିଜୁ ଜନତା ଦଳରେ ଭୂକମ୍ପ ସୃଷ୍ଟି ହେବାକୁ ଯାଉଛି । ବିଜେଡ଼ି ନେତା ମନ୍ମଥ ରାଉତରାୟ ଦେଇଥିବା ବୟାନ ଏବେ ସତରେ ପରିଣତ ହେବାକୁ ଯାଉଛି । ଆସନ୍ତାକାଲି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନ ଶଙ୍ଖ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।
ଆଜି ନବୀନ ନିବାସରେ ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବଡ଼ ବୈଠକ ବସିଥିଲା । ଯେଉଁଥିରେ ପ୍ରତାପ ଜେନା, ଟୁକୁନି ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ସୂଚନା ମିଳିଛି ଯେ ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଦଳରେ ସାମିଲ ହେବେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରିବା ସହିତ ତାଙ୍କୁ ଦଳକୁ ସ୍ୱାଗତ କରିବେ ।
ତେବେ ନବୀନ ନିବାସରୁ ବାହାରିବା ପରେ ନେତାମାନେ ସେପରି କିଛି ଆଲୋଚନା ହୋଇନଥିବା କହି ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ । ଟୁକୁନି ସାହୁ କହିଛନ୍ତି ଯେ ଦଳକୁ କିଏ ଆସିବେ ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ । ଯିଏ ଦଳକୁ ଆସିବ ତାଙ୍କୁ ସ୍ୱାଗତ କରାଯିବ । ସୁଜାତା ତାଙ୍କର କାର୍ଯ୍ୟକାଳରେ ଅନେକ କାମ କରିଛନ୍ତି । ମିଶନ ଶକ୍ତିକୁ ଏକ ଶୀର୍ଷ ସ୍ତରରେ ପହଁଚାଇଛନ୍ତି । ତେଣୁ ସେ ଦଳକୁ ଆସିଲେ ଦଳର ଲାଭ ବୋଲି କହିଛନ୍ତି ଟୁକୁନି ସାହୁ ।
ସେପଟେ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଶ୍ରୀମୟୀଙ୍କ ମିଶ୍ରଙ୍କ ସୋସିଆଲ୍ ମିଡ଼ିଆ ପୋଷ୍ଟ । ଶ୍ରୀମୟୀ ଲେଖିଛନ୍ତି ଯେ ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା। ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି ।
ସେହିପରି ୨୦୨୫ରେ କହିଥିଲି, ଟାଇଟାନିକ ବୁଡ଼ିବା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଜେମାମଣୀଙ୍କ ପାଦୁକା ପୂଜା କରାଇବାକୁ,ତେଲମରା ଭକ୍ତ, ସମ୍ପୂର୍ଣ୍ଣ ପ୍ରସ୍ତୁତ । ନିଜେ ବୁଲି ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପରାଜିତ କରି ମନ ଭରିଲାନି, ଏବେ ପୁଣି ତାମିଲ୍ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡ ପ୍ରସ୍ତୁତ କରିଛନ୍ତି ମାଷ୍ଟର୍ ପ୍ଲାନ୍ ।
ଶ୍ରୀମୟୀ ଆହୁରି ଲେଖିଛନ୍ତି, ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ୍ ବୋହୂକୁ ରେଡ୍ କାର୍ପେଟ୍ ସ୍ୱାଗତ କରିବା ପାଇଁ ଫରମାନ୍ ଜାରି ହୋଇଛି। କହିବାକୁ ଗଲେ ଏକ ପ୍ରକାର ନିର୍ଦ୍ଦେଶନାମା ଜାରି ହୋଇଛି । ନିବାସର କଣ୍ଟ୍ରୋଲ ରୁମ୍ ସହାୟିକା ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।
ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ଦଳୀୟ ନେତା ମନ୍ମଥ ରାଉତରାୟ କହିଥିଲେ ଯେ ଆମ ସମସ୍ତଙ୍କର ଇଚ୍ଛା ସୁଜାତା ପାଣ୍ଡିଆନ ବିଜେଡ଼ିକୁ ଆସନ୍ତୁ । ସୁଜାତା ଦଳକୁ ଆସିବା ଶତ ପ୍ରତିଶତ ସତ ଅଟେ । ଯଦି ସେ ଦଳକୁ ଆସନ୍ତି ତାଙ୍କୁ ରେଡ୍ କାର୍ପେଟ୍ ଉପରେ ସ୍ୱାଗତ କରାଯିବ । ତାଙ୍କର ଦକ୍ଷତା, ଜ୍ଞାନ, ବୁଦ୍ଧି ଏବଂ ଅନୁଭବ ସରକାରୀ ଦଳର ସିଷ୍ଟମକୁ ଦୋହଲାଇ ଦେବ ବୋଲି କହିଥିଲେ ମନ୍ମଥ । ମନ୍ମଥ ରାଉତରାୟଙ୍କ ମନ୍ତବ୍ୟରେ ପ୍ରଶାନ୍ତ ମୁଦୁଲି ଏକମତ ପ୍ରକାଶ କରିଥିଲେ ।