ସମ୍ବଲପୁର: ସିଏଡିଏ ସମ୍ବଲପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଗିରଫ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଗତକାଲି ଭିଜିଲାନ୍ସ ପକ୍ଷରୁ ୭ଟି ଠିକଣରେ ଚଢ଼ଉ ହୋଇଥିଲା । ସମ୍ବଲୁପର, କଟକ, ବାଲେଶ୍ୱର ଏବଂ ମାଲକାନିଗିରି ଜିଲ୍ଲାରେ ଯାଞ୍ଚ କରାଯାଇଥିଲା । ଚଢ଼ଉରେ ପଦ୍ମଲୋଚନଙ୍କର ଅଚଳାଚଳ ସମ୍ପତ୍ତି ଠାବ କରାଯାଇଥିଲା । ତିନୋଟି ବହୁତଳ ବିଶିଷ୍ଟ କୋଠା, ଯାହା ୧୮,୮୪୦ ବର୍ଗଫୁଟ ଜମିରେ ରହିଛି, ୧୮ଟି ବହୁମୂଲ୍ୟ ପ୍ଲଟ୍ ଓ ୩ ଲକ୍ଷ ୪୫ ହଜାର ନଗଦ ଟଙ୍କା ଠାବ କରିଥିଲା ଭିଜିଲାନ୍ସ । କଟକ ବିଦ୍ୟାଧରପୁରରେ ୭୦୦୦ ବର୍ଗଫୁଟ ପରିମିତ ଜମିରେ ଏକ ତିନି ମହଲା କୋଠା ରହିଛି । ବାଲେଶ୍ୱର ଜିଲ୍ଲା ବସ୍ତା ମୁଖାଳିସରେ ଦୁଇ ମହଲା ବିଶିଷ୍ଟ ବାସଭବନ ଅଛି । ଭୁବନେଶ୍ୱର, କଟକ, ଯାଜପୁରର କୋରେଇ, ବାଲେଶ୍ୱରର ବସ୍ତା ଏବଂ ପୁରୀ ଡେଲାଙ୍ଗରେ ୧୫ଟି ପ୍ଲଟ୍ ଅଛି । ସେହିପରି ଜବତ ଗାଡ଼ି ତାଲିକାରେ ରହିଛି ୩ଟି କାର୍, ୨ଟି ଜେସିବି ମେସିନ୍, ୧ ଟ୍ରାକ୍ଟର ଓ ୧ ଟ୍ରେଲର୍ ।
ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ନିର୍ବାହୀ ଯନ୍ତ୍ରୀଙ୍କ ଭିଜିଲାନ୍ସ ବାନ୍ଧିଛି । ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି ।