ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଘରୋଇ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ଶିକ୍ଷା କ୍ଷେତ୍ରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି। ଗିରଫ ଶିକ୍ଷକ ହେଲେ ୨୮ ବର୍ଷୀୟ ନିରଞ୍ଜନ ମିଶ୍ର । ସେ ଚକେଇସିଆଣି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ମହିଳା ଥାନା ପୁଲିସ ନାବାଳିକାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ନିରଞ୍ଜନ ଯେଉଁ କୋଚିଂ ସେଣ୍ଟରରେ ପାଠ ପଢ଼ାଉଥିଲେ, ସେହି ସ୍ଥାନରେ ହିଁ ନିଜର ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ମାନସିକ ଭାବେ ଭାଙ୍ଗିପଡ଼ିଥିବା ଛାତ୍ରୀ ଘରକୁ ଫେରି ନିଜ ପରିବାର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲେ।
ଏହା ଶୁଣି ପରିବାର ଲୋକେ ତୁରନ୍ତ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇଛନ୍ତି।
ପୁଲିସ ପକ୍ଷରୁ କୁହାଯାଇଛି ଯେ, ପୀଡ଼ିତାଙ୍କ ବୟାନ ଆଇନ ଅନୁଯାୟୀ ରେକର୍ଡ କରାଯାଇଛି। ସେହିପରି ଫରେନସିକ ପ୍ରମାଣ ସଂଗ୍ରହ ପାଇଁ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି।
ଘଟଣାର ସତ୍ୟତା ଓ ଅନ୍ୟାନ୍ୟ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ଶିକ୍ଷକ-ଛାତ୍ର ସମ୍ପର୍କକୁ ନେଇ ପୁଣିଥରେ ଗୁରୁତର ପ୍ରଶ୍ନ ଉଠିଛି।