ଭଦ୍ରକ: ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନରେ ଅନିୟମିତତାର ତଦନ୍ତ ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ପକ୍ଷ ମୁହାଁ ମୁହିଁ ହୋଇଛନ୍ତି । ଗୋଟିଏ ପକ୍ଷ ଯୋଗାଣ ଦାୟିତ୍ଵରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସପକ୍ଷରେ ଥିବା ବେଳେ ଅନ୍ୟ ପଟେ ବିରୋଧ କରାଯାଉଛି । ଏମିତି କି ତଦନ୍ତ ସମୟରେ ଯୋଗାଣ ବିଭାଗର ଅଧିକାରୀଙ୍କୁ ଦୀର୍ଘ ସମୟ ଅଟକ ରଖାଯାଇଛି ।
ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନରେ ଅନିୟମିତତା ଓ ଯୋଗ୍ୟ ହିତାଧିକାରୀ ଙ୍କୁ ଚାଉଳ ନ ମିଳିବା ନେଇ ଅଭିଯୋଗ ହୋଇଥିଲା । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା । ତେବେ ତଦନ୍ତ ବେଳେ ହଠାତ୍ ଆରମ୍ଭ ହୋଇଥିଲା ଉତ୍ତେଜନା । ଝଗଡା ଦେଖି ଯୋଗାଣ ବିଭାଗ ଅଧିକାରୀମାନେ ପଳାଉଥିବା ବେଳେ ଲୋକେ ଗାଡ଼ି ଅଟକ ରଖିଥିଲେ । ଦୀର୍ଘ ସମୟ ଧରି ଯୋଗାଣ ବିଭାଗର ଅଧିକାରୀଙ୍କୁ ଲୋକେ ଅଟକ ରଖିଥିଲେ ।
କିନ୍ତୁ ଘଟଣାକୁ ନେଇ ଦାୟିତ୍ଵରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା କହିଛନ୍ତି ଯେ ଅଭିଯୋଗ ଭିତ୍ତିହୀନ । ହିତାଧିକାରୀ କୌଣସି ଅଭିଯୋଗ କରୁ ନଥିବା ବେଳେ କେତେକ ଲୋକେ ବିନା କାରଣରେ ଅଭିଯୋଗ କରୁଛନ୍ତି ।
ଉତ୍ତେଜନା ବେଶ୍ କିଛି ସମୟ ପରେ ପହଞ୍ଚିଥିଲେ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିଲେ । ତେବେ ବିଡ଼ିଓ କହିଛନ୍ତି ଯେ ଭୁଲ ବୁଝାମଣା ଯୋଗୁଁ ଏମିତି ସ୍ଥିତି ଉପୁଜିଛି । ଏହି ସ୍ଥାନରେ ୯୦୦ରୁ ଅଧିକ ହିତାଧିକାରୀ ଥିବା ଯୋଗୁଁ ଭିଡ ହୋଇଥିଲା । ଗୋଟିଏ ଦିନ ରେ ଚାଉଳ ବଣ୍ଟନ ସହ ଅତିରିକ୍ତ ଯୋଗାଣ ଅଧିକାରୀ ଓ ଏମ ଆଈ ତଦନ୍ତ ପାଇଁ ଆସିଥିବା ଯୋଗୁଁ ଏମିତି ଅବସ୍ଥା ହୋଇଥିଲା । ତେବେ ଯୋଗାଣ ସାମଗ୍ରୀ ଯୋଗାଣ ରେ ଥିବା ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଥିଲେ , ତେବେ ତଦନ୍ତ ରିପୋର୍ଟରେ ସବୁ ସାମ୍ନା କୁ ଆସିବା ବୋଲି କହିଛନ୍ତି ।