କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତଦନ୍ତକୁ ଆହୁରି ଜୋରଦାର କରିଛି କଟକ କମିଶନରେଟ ପୋଲିସ। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଚନ୍ଦ୍ରିକାଙ୍କ ପ୍ରେମିକ ଭୀମସେନ ଟୁଡୁଙ୍କୁ ଅଧିକ ଖୋଳତାଡ଼ ପାଇଁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ବାରଙ୍ଗ ପୋଲିସ। ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଏହି ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।
କଟକ ଡିସିପି ରିଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଚନ୍ଦ୍ରିକାଙ୍କ ପରିବାର ସଦସ୍ୟଙ୍କ ବୟାନ ସହ ବୈଷୟିକ ତଦନ୍ତରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପୋଲିସ ହାତରେ ଲାଗିଛି। ମୋବାଇଲ ଫୋନରୁ ମିଳିଥିବା ହ୍ୱାଟସଆପ୍ ଚାଟ୍, ଫଟୋଗ୍ରାଫ ଓ ଅଡିଓ ରେକର୍ଡିଂ ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅଧିକ ଦୃଢ଼ କରୁଥିବା ପୋଲିସ କହିଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଭୀମସେନ ଚନ୍ଦ୍ରିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେହି ପ୍ରତିଶ୍ରୁତିରୁ ଓହରି ଯାଇଥିଲେ। ଏପରିକି ବିବାହ ନାଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣାରେ ଭୀମସେନଙ୍କ ପରିବାରର ଭୂମିକା ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି।
ଏବେ ସିଡିଆର୍ (Call Detail Record) ଓ ସିସିଟିଭି ଫୁଟେଜ୍ ଆଧାରରେ ଚନ୍ଦ୍ରିକାଙ୍କ ଶେଷ ସମୟର ଗତିବିଧିକୁ ଯାଞ୍ଚ କରାଯାଉଛି। ତଦନ୍ତ ସମୟରେ ଆବଶ୍ୟକ ପଡ଼ିଲେ ଭୀମସେନଙ୍କ ଲାଇ-ଡିଟେକ୍ସନ ବା ମିଛ ଧରା ପରୀକ୍ଷା କରାଯାଇପାରେ ବୋଲି ଡିସିପି ସୂଚନା ଦେଇଛନ୍ତି।
ଗତ ଜୁନ୍ ୪ ତାରିଖରେ କାଠଯୋଡ଼ି ନଦୀ ନିକଟରୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ପୋଲିସ ତଦନ୍ତ କରି ଭୀମସେନଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଏହି ବହୁଚର୍ଚ୍ଚିତ ମାମଲାରେ ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।