ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମଙ୍ଗଳବାର ଦେଶର ସର୍ବୋଚ୍ଚ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୬ ବର୍ଷ ପାଇଁ ୨ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି । ପି. ନାରାୟଣନ ଓ ପୂର୍ବତନ ବିଚାରପତି କେ ଟି ତୋମସ୍ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ବଲିଉଡ଼୍ କଣ୍ଠ ଶିଳ୍ପୀ ଅଲକା ୟାଗନିକ ପଦ୍ମ ଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପୁରସ୍କାର ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଟେନିସ୍ ଖେଳାଳୀ ଡାକ୍ତର ବିଜୟ ଅମୃତରାଜ, ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍, ଓ ମାଲାୟଲମ୍ ଅଭିନେତା ମାମୁଟ୍ଟି ମଧ୍ୟ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି । ଶିବୁ ସୋରେନଙ୍କ ପତ୍ନୀ ରୁପୀ ସୋରେନ୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ତଳକୁ ଆସି ପୁରସ୍କାର ପ୍ରଦାନ କରିଥିଲେ । ଅଭିନେତା ମାଧବନ୍ ରଙ୍ଗନାଥନ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।
ସେହିପରି ୩ ଜଣ ଓଡ଼ିଆ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଓ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନ ମିଳିଛି । ଓଡ଼ିଶାର ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମ । ସେହିପରି ମହେନ୍ଦ୍ର କୁମାର ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷାକ୍ଷେତ୍ର କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନ ମିଳିଥିବାବେଳେ ସୀମାଞ୍ଚଳ ପାତ୍ରଙ୍କୁ ଲୋକକଳା ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି ।