ଭୁବନେଶ୍ୱର: ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଜମିବ ସିନେମାର ମହାକୁମ୍ଭ। ଆସନ୍ତା ଜୁନ୍ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ‘ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍-୨୦୨୬’। ଜୟଦେବ ଭବନରେ ଆୟୋଜିତ ହେବାକୁ ଥିବା ଏହି ଚାରିଦିନିଆ ଉତ୍ସବ ସିନେମାପ୍ରେମୀଙ୍କୁ ଦେବ ଏକ ନିଆରା ଅନୁଭୂତି।
ଫିଲ୍ମ ଫେଷ୍ଟିଭାଲ୍ରେ ଓଡ଼ିଆ ସିନେମାର ଐତିହ୍ୟ ଓ ଗୌରବକୁ ଉଜାଗର କରୁଥିବା ଅନେକ କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ସେଥିମଧ୍ୟରେ ‘ଲକ୍ଷ୍ମୀ’, ‘ମାଗୁଣିର ଶଗଡ଼’ ଏବଂ ‘ଅମଡା ବାଟ’ ପରି ଚର୍ଚ୍ଚିତ ଚଳଚ୍ଚିତ୍ର ରହିଛି। ଏହି ସିନେମାଗୁଡ଼ିକ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଅଧ୍ୟାୟକୁ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆଣିବ।
କେବଳ ଓଡ଼ିଆ ନୁହେଁ, ବଙ୍ଗଳା, ମଲୟାଲମ, ଆସାମୀ ଓ ମରାଠୀ ଭାଷାର ବହୁ ପୁରସ୍କାରପ୍ରାପ୍ତ ଓ ପ୍ରଶଂସିତ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବ। ଫଳରେ ଦର୍ଶକମାନେ ଗୋଟିଏ ମଞ୍ଚରେ ଭାରତୀୟ ସିନେମାର ବିଭିନ୍ନ ରଙ୍ଗ, ଭାଷା ଓ ସଂସ୍କୃତିର ସମାଗମ ଦେଖିବାର ସୁଯୋଗ ପାଇବେ।
ସିନେମା, ସଂସ୍କୃତି ଓ ସୃଜନଶୀଳତାର ଏହି ମହୋତ୍ସବ ପୁଣି ଥରେ ଭୁବନେଶ୍ୱରକୁ ଦେଶର ସିନେମା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବାକୁ ଯାଉଛି। ତେଣୁ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ଏହା ହେବ ଏକ ସ୍ମରଣୀୟ ଅନୁଭୂତି।