ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲରେ ବୈଠକ ହୋଇଛି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ, ସତ୍ୟବାଦୀ ଓ ପିପିଲି ବିଧାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି । ରଥ ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱରେଜ୍, ଡ୍ରେନେଜ ଏବଂ ଟ୍ରାଫିକ୍ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ବୈଠକ ପରେ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରଥଯାତ୍ରାକୁ ସୁରୁଖୁରେ ଏବଂ ତ୍ରୁଟି ଶୂନ୍ୟ କରିବାକୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ନୀତିକାନ୍ତି ଠାରୁ ଆରମ୍ଭ ବାହାର ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଯେଉଁ ବିଭାଗରେ ତ୍ରୁଟି ପରିଲକ୍ଷିତ ହୋଇଛି, ତ୍ରୁଟି ସୁଧାରିବାକୁ ସମ୍ପୃକ୍ତ ବିଭାଗକୁ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗତବର୍ଷ ଘଟିଥିବା ଅଘଟଣକୁ ଏଡ଼ାଇବାକୁ ଜାନୁଆରୀ ମାସଠାରୁ ଉଦ୍ୟମ ଜାରି ରହିଛି । ପ୍ରଭୁ ଜଗନ୍ନାଥଙ୍କ କରୁଣା ରହିଲେ ରଥାଯାତ୍ରା ତ୍ରୁଟିମୁକ୍ତ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।ଚିକିତ୍ସା ପାଇଁ ୨୦୦ରୁ ଅଧିକ ବେଡ୍ ପ୍ରସ୍ତୁତ କରାଯାଉଛି । ପ୍ରାୟ ୧୫୦୦ରୁ ଅଧିକ ଡାକ୍ତର ଓ ପାରା ମେଡ଼ିକାଲ୍ ଷ୍ଟାଫ୍ ନିୟୋଜିତ ହେବେ । ସେହିପରି ଆଇସିୟୁ ଏବଂ ଅସ୍ଥାୟୀ ବର୍ଣ୍ଣ ୟୁନିଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।