ଓଡ଼ିଶା ଭିଜିଲାନ୍ସର ଚଢ଼ାଉ ବେଳେ ସାମ୍ବଲପୁର କାଡା (CADA) ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି। ଆୟଠାରୁ ଅଧିକ ସମ୍ପତ୍ତି ମାମଲାର ତଦନ୍ତ ଚାଲିଥିବା ବେଳେ ଏହି ଚଢ଼ାଉରେ ଏକାଧିକ କୋଠା, ପ୍ଲଟ୍, ଗାଡ଼ି, ନଗଦ ଟଙ୍କା ଓ ବିଦେଶୀ ମୁଦ୍ରା ଜବତ ହୋଇଛି।
ଭିଜିଲାନ୍ସ ସୂଚନା ଅନୁସାରେ, କଟକର ବିଦ୍ୟାଧରପୁର ଅଞ୍ଚଳରେ ପ୍ରାୟ ୭ ହଜାର ବର୍ଗଫୁଟ ପରିମିତ ଏକ ତିନି ମହଲା ବିଶିଷ୍ଟ ଘର ଠାବ କରାଯାଇଛି। ସେହିପରି ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳରେ ପ୍ରାୟ ୧,୪୬୫ ବର୍ଗଫୁଟର ଦୁଇ ମହଲା ଘର ମଧ୍ୟ ଚିହ୍ନଟ ହୋଇଛି।
ଏହାସହ ଭୁବନେଶ୍ୱର, କଟକ, ଯାଜପୁରର କୋରେଇ, ବାଲେଶ୍ୱରର ବସ୍ତା ଏବଂ ପୁରୀର ଡେଲାଙ୍ଗ ଅଞ୍ଚଳରେ ମୋଟ ୧୫ଟି ମୂଲ୍ୟବାନ ପ୍ଲଟ୍ ଥିବା ଜଣାପଡ଼ିଛି। ଏହି ସମ୍ପତ୍ତିଗୁଡ଼ିକର ମାପ ଓ ବଜାର ମୂଲ୍ୟ ନିର୍ଣ୍ଣୟ ପାଇଁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ଯାଞ୍ଚ ଜାରି ରଖିଛି।
ଚଢ଼ାଉ ସମୟରେ ୩ ଲକ୍ଷ ୪୫ ହଜାର ଟଙ୍କା ନଗଦ ଜବତ ହୋଇଥିବା ବେଳେ ଶ୍ରୀଲଙ୍କା, ନେପାଳ, ବାହାରିନ ଓ ଆମେରିକାର ବିଦେଶୀ ମୁଦ୍ରା ମଧ୍ୟ ମିଳିଛି। ଏହା ବ୍ୟତୀତ ଏକ ଜେସିବି ମେସିନ୍, ତିନୋଟି ଚାରିଚକିଆ ଗାଡ଼ି ଟୟୋଟା ଇନୋଭା, ଟାଟା ଇଣ୍ଡିଗୋ ଓ ୱାଗନ୍-ଆର୍ ସହ ଏକ ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି।
ଏତିକିରେ ତଦନ୍ତ ସୀମିତ ନୁହେଁ। ବିଭିନ୍ନ ବ୍ୟାଙ୍କ ଜମା, ଡାକଘର ସଞ୍ଚୟ ଓ ଅନ୍ୟାନ୍ୟ ଆର୍ଥିକ ନିବେଶର ତଥ୍ୟ ମଧ୍ୟ ଭିଜିଲାନ୍ସ ଯାଞ୍ଚ କରୁଛି। ସମ୍ପତ୍ତିର ପ୍ରକୃତ ମୂଲ୍ୟ ଓ ଆୟର ଉତ୍ସ ସମ୍ପର୍କରେ ତଦନ୍ତ ଶେଷ ହେଲେ ମାମଲାରେ ଆହୁରି ବଡ଼ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି।