ଝାରସୁଗୁଡ଼ା: ଝାରସୁଗୁଡ଼ାର ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ତ୍ରିନାଥ ଗୁଆଲଙ୍କ ସନ୍ଦେହ ଜନକ ମୃତ୍ୟୁ । ରେଳ ଧାରଣାରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।
ଝାରସୁଗୁଡ଼ା ଏସପି ଜି. ଆର. ରାଘବେନ୍ଦ୍ରଙ୍କୁ ସୂଚନା ମୁତାବକ, ଆଜି ସକାଳୁ ବାଲିଝୋରି ରେଳ ଧାରଣାରେ ଏକ ମୃତଦେହ ପଡ଼ିଥିବା ପୋଲିସକୁ ଖବର ମିଳିଥିଲା । ମୃତଦେହକୁ ତ୍ରିନାଥ ଗୁଆଲ ବୋଲି ଚିହ୍ନଟ ହୋଇଥିଲା । ନିକଟରେ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି । ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସେଥିରେ ଲେଖା ଅଛି ।
ଏହା ସହିତ କୋରାପୁଟ-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସରେ ଧକ୍କା ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ନିଜେ ଏସପି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହିତ ଲୋକୋ ପାଇଲଟଙ୍କ ସହିତ କଥା ହୋଇଛନ୍ତି । ସେହି ଇଣ୍ଟରସିଟି ଏକ୍ସପ୍ରେସରେ ସେ ଧକ୍କା ହୋଇଥିବା ଲୋକୋ ପାଇଲଟ୍ ରଥ ସାଗର ମଧ୍ୟ ସ୍ପଷ୍ଟ କରିଛନ୍ତି । ଲୋକୋ ପାଇଲଟଙ୍କ ସୂଚନା ଅନୁସାରକେ ଟ୍ରେନ୍ ଯାଉଥିବା ସମୟରେ ଜଣେ ବ୍ୟକ୍ତି ଟ୍ରେନ୍ ଆଗକୁ ଚାଲି ଆସିଥିଲେ ।
ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ତ୍ରିନାଥ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଥିଲେ । ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କର ଘନିଷ୍ଠ ସହଯୋଗୀ ଥିଲେ ।
ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ମୃତଦେହ ଓ ସୁଇସାଇଡ ନୋଟକୁ ଜବତ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଜନିତ ମାମଲା ବୋଲି ଏସପି କହିଛନ୍ତି । ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି, ପରିବାର ଲୋକେ ପହଁଚିବା ପରେ ଶବବ୍ୟବଚ୍ଛେଦ କରାଯିବ । ତଦନ୍ତ ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହେବା ନେଇ ଏସପି କହିଛନ୍ତି । ଘଟଣା ପରେ ଆଇନଜୀବୀ ମହଲ ଓ ରାଜନୈତିକ ମହଳରେ ଶୋକର ଛାୟା ଖେଳିଯାଇଛି।