ଫୁଲବାଣୀ: ଝିମିଟି ଖେଳରୁ ମହାଭାରତ । ଛୋଟ ପିଲାଙ୍କ କଳିରେ ରକ୍ତାକ୍ତ ସଂଘର୍ଷ, ଗଡ଼ିଛି ମୁଣ୍ଡ । ପିଲାଙ୍କ ମଧ୍ୟରେ ସାମାନ୍ୟ କଳହକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତର ଦଡମାସ୍କା ଗ୍ରାମରେ ଘଟିଛି ହତ୍ୟାକାଣ୍ଡ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅକୁର ବେହେରା। ଆହତମାନେ ହେଲେ ବାଇଧର ବେହେରା, ସୁଜାତା ବେହେରା ଓ ଗାୟତ୍ରୀ ବେହେରା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଦଡମାସ୍କା ଓ ଦଳପଡ଼ା ଗ୍ରାମର ଦୁଇ ପରିବାରର ପିଲାମାନଙ୍କ ମଧ୍ୟରେ ଏକ କଳହ ହୋଇଥିଲା । ପରେ ଏହି ବିବାଦର ସମାଧାନ ପାଇଁ ଦଳପଡ଼ା ଗାଁର ଗାୟତ୍ରୀ ବେହେରାଙ୍କ ପରିବାର ଆଲୋଚନା କରିବାକୁ ଦଡ଼ମାସ୍କା ଗ୍ରାମକୁ ଯାଇଥିବା ବେଳେ ବିବାଦ ଉଗ୍ର ରୂପ ନେଇଥିଲା। ଅଭିଯୋଗ ଅନୁଯାୟୀ, ପ୍ରତିପକ୍ଷ ପରିବାର ଟାଙ୍ଗିଆ ଓ ଅନ୍ୟ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣରେ ଅକୁର ବେହେରା ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାଙ୍କ ବଡ଼ ଭାଇ ବାଇଧର ବେହେରା, ଭାଉଜ ସୁଜାତା ବେହେରା ଓ ପତ୍ନୀ ଗାୟତ୍ରୀ ବେହେରା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବର ପାଇ ଫୁଲବାଣୀ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାମରେ ଉତ୍ତେଜନା ଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।