କେନ୍ଦୁଝର: ସକାଳୁ ସକାଳୁ ଘଟିଛି ବୀଭତ୍ସ ହତ୍ୟା । ଶୌଚ ହେବାକୁ ଯାଇଥିବେଳେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ଛେଚି ଅତି ନିର୍ମମଭାବେ ହତ୍ୟା କରାଯାଇଛି । କେନ୍ଦୁଝର ଜିଲ୍ଲା ସଦର ଥାନା ଆମୁଣି ଭରାଳି ସାହିରେ ଘଟିଛି ଏଭଳି ବର୍ବରକାଣ୍ଡ । ଗ୍ରାମର ଶ୍ରୀକାନ୍ତ ମହାକୁଡ଼ଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପ୍ରାଥମିକ ସୂଚନା ଆଧାରରେ, ଆମୁଣି ଭରାଳି ସାହିର ଶ୍ରୀକାନ୍ତ ମହାକୁଡ଼ ଆଜି ସକାଳୁ ଗାଁ ପୋଖରୀକୁ ଶୌଚ ହେବାକୁ ଆସିଥିଲେ । ଏହାପରେ ତାଙ୍କ ମୃତଦେହ ପୋଖରୀ ନିକଟରେ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ । ଏ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଶ୍ରୀକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାଳେ ପାଖରେ ଏତେ ତେଣେ ରକ୍ତ ମଦ୍ୟ ପଡ଼ିଛି । ତେଣୁ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
କିଛିଦିନ ହେଲା ଜମିବାଡ଼ିକୁ ନେଇ ଗାଁର ଜଣେ ଯୁବକଙ୍କ ସହ, ଶ୍ରୀକାନ୍ତଙ୍କର ବିବାଦ ଲାଗି ରହିଥିଲା । ଏଥିପାଇଁ ସେହି ଯୁବକ ଶ୍ରୀକାନ୍ତଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲା । ସେହି ଯୁବକ ହିଁ ଶ୍ରୀକାନ୍ତଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସକାଳୁ ସକାଳୁ ଏଭଳି ଏକ ହତ୍ୟାକାଣ୍ଡକୁ ନେଇ ସାରା ଗାଁରେ ଚହଳ ପଡ଼ିଯାଇଛି । ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚିଛନ୍ତି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଅନୁମାନ କରାଯାଇପାରୁଛି । ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।