ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପାଣିପାଗ ବିଭାଗର ବଡ଼ ସତର୍କ ସୂଚନା। ଆସନ୍ତା ୩ ଦିନ ଯାଏଁ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ଏବଂ ଦମକା ପବନ ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଶୁକ୍ରବାର ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବଜ୍ରପାତ, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ପ୍ରଚଣ୍ଡ ଖରା, ଗୁଳୁଗୁଳି ଓ ଅସହ୍ୟ ଗରମ ଅନୁଭୂତ ହେଉଥିଲା। ତେବେ ଦିନରେ ତାତି ଏବଂ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁଁ କାଳବୈଶାଖୀ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଦିନବେଳେ ଗରମ ଓ ଗୁଳୁଗୁଳି ଜାରି ରହିବ। କିନ୍ତୁ ସନ୍ଧ୍ୟା ପରେ ବର୍ଷା ଓ ଥଣ୍ଡା ପବନ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇପାରେ।ଶନିବାର ମଧ୍ୟ ସମଗ୍ର ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବଜ୍ରପାତ, ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ। ଏହା ଫଳରେ ଗତ କିଛି ଦିନ ଧରି ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହ ସ୍ଥିତିରୁ ଲୋକେ ଆଶ୍ୱସ୍ତି ପାଇବେ।
ପାଣିପାଗ ବିଭାଗ ପକ୍ଷରୁ ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ବଜ୍ରପାତ ସମୟରେ ଖୋଲା ସ୍ଥାନକୁ ନଯିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ସରକାରୀ ପାଣିପାଗ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।