ଭୁବନେଶ୍ୱର: ଓଡ଼ିଶାର ପୋଲିସ ବ୍ୟବସ୍ଥାରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ “ରାଇରଙ୍ଗପୁର ପୋଲିସ ଜିଲ୍ଲା”ର ଉଦଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ ଜୋଲେନ ନାଏକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଏବଂ ସାରସକଣା ବିଧାୟକ ଶ୍ରୀ ଭଦବ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ସରକାରଙ୍କ ଦ୍ୱାରା ଅଗଷ୍ଟ ୨୦୨୫ରେ ପୂର୍ବତନ ମୟୂରଭଞ୍ଜ ପୋଲିସ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୋଲିସ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଆଜିର ଉଦ୍ଘାଟନ ପରେ ଏହି ପୋଲିସ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି । ନୂତନ ପୋଲିସ ଜିଲ୍ଲା ଅଧୀନରେ ୨ଟି ପୋଲିସ ଉପଖଣ୍ଡ ଓ ୧୪ଟି ଥାନା ରହିଛି, ଯାହା ଦ୍ୱାରା ଜନସାଧାରଣଙ୍କୁ ଅଧିକ ଦ୍ରୁତ, ସହଜ ଓ ଗୁଣାତ୍ମକ ପୋଲିସ ସେବା ପ୍ରଦାନ ସମ୍ଭବ ହେବ । ରାଇରଙ୍ଗପୁର ପୋଲିସ ଜିଲ୍ଲାର ଶୁଭାରମ୍ଭ ଓଡ଼ିଶା ପୋଲିସର ଜନସେବା, ଜନସୁରକ୍ଷା ଓ ଉତ୍ତମ ଶାସନ ପ୍ରତି ଅତୁଟ ପ୍ରତିବଦ୍ଧତାର ଆଉ ଏକ ମାଇଲଖୁଣ୍ଟ। ଏହା ଦ୍ୱାରା ଅଞ୍ଚଳରେ ଆଇନ-ଶୃଙ୍ଖଳା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଅପରାଧ ନିୟନ୍ତ୍ରଣ, ତ୍ୱରିତ ପୋଲିସ ପ୍ରତିକ୍ରିୟା ଏବଂ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ନୂତନ ଦିଗ ପ୍ରଦାନ କରିବ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ପୂର୍ବାଞ୍ଚଳ ରେଞ୍ଜ ଡି.ଆଇ.ଜି. ପିନାକ ମିଶ୍ର, ମୟୂରଭଞ୍ଜ ଏସ୍.ପି. ବରୁଣ ଗୁଣ୍ଟୁପାଲି, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ, ବାରିପଦା ଉପ-ଜିଲ୍ଲାପାଳ କସ୍ତୁରୀ ପଣ୍ଡା ଏବଂ ରାଇରଙ୍ଗପୁର ଏସ୍.ପି. ସୁରେଶ କୁମାର ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।