ରାଇରଙ୍ଗପୁର: ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା ସୂଚୀରେ ପ୍ରତିକୂଳ ପାଗ ପ୍ରଭାବ ପକାଇଛି। ଖରାପ ପାଗ ଯୋଗୁଁ ତାଙ୍କ ଗସ୍ତରେ ବିଳମ୍ବ ହୋଇଥିବା ବେଳେ ଆକାଶ ମାର୍ଗ ପରିବର୍ତ୍ତେ ସଡ଼କ ପଥରେ ରାଇରଙ୍ଗପୁର ଆସୁଥିବା ସୂଚନା ମିଳିଛି।
ବିଶ୍ୱସ୍ତ ସୂତ୍ର ଅନୁସାରେ, ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡାରେ ପହଞ୍ଚି ସାରିଛନ୍ତି। ସେଠାରୁ ବାଙ୍ଗିରିପୋଷି ଓ ବିଶୋୟୀ ଦେଇ ସଡ଼କ ପଥରେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିବେ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ଣ ୩ଟା ୪୫ ମିନିଟ୍ରେ ରାଇରଙ୍ଗପୁର ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ରେ ପହଞ୍ଚିବାର ଥିଲା। ତେବେ ଅଞ୍ଚଳରେ ଲାଗି ରହିଥିବା ପ୍ରତିକୂଳ ପାଗ ଓ ବର୍ଷା କାରଣରୁ ଯାତ୍ରା ଯୋଜନାରେ ପରିବର୍ତ୍ତନ କରାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ, ତାଙ୍କ ଆଗମନକୁ ନେଇ ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ଉତ୍ସାହ ଦେଖାଦେଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।