କୋରାପୁଟ: ଆଜି ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ଅଧିକାରୀ ସତ୍ୟନାରାୟଣ ସେଠୀଙ୍କ ଘରେ ଚାଲିଛି ଚଢ଼ଉ । ସକାଳୁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଜାରି ରହିଥିବା ଚଢ଼ଉରେ ବିପୁଳ ପରିମାଣରେ ସମ୍ପତ୍ତି ଠାବ କରାଯାଇଛି । କୋଠା, ଏକର ଏକର ଜମି ସହିତ ସୁନା ଗହଣା ଏବଂ ନଗଦ ଟଙ୍କା ଦେଖି ତାଜୁବ ଭିଜିଲାନ୍ସ ଟିମ୍ ।
୧୦ ଏକର ଜମିରେ ବିଶାଳ ଫାର୍ମ ହାଉସ
ଯନ୍ତ୍ରୀ ଶ୍ରୀଯୁକ୍ତ ସେଠୀଙ୍କର କୋରାପୁଟ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧାର ୭ଟି ଠିକଣାରେ ଏକାକାଳୀନ ରେଡ୍ କରାଯାଇଛି । ଚଢ଼ଉରେ ଭିଜିଲାନ୍ସ ବିଭାଗର ୭ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ତଲାସ କରାଯାଉଛି। ଯନ୍ତ୍ରୀଙ୍କର ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ ମାଧୀପୁର ମୌଜାରେ ଥିବା ହାଇ-ଟେକ୍ ପ୍ଲାଜାରେ ଏକ ହଜାର ବର୍ଗଫୁଟର ଏକ ଫ୍ଲାଟ୍ ରହିଛି । ସେହିପରି କୋରାପୁଟ ଜିଲ୍ଲାରେ ବୋରିଗୁମା ତହସିଲ ତାରାଗାଁରେ ଏକ ବିଶାଳ ଫାର୍ମ ହାଉସ ରହିଛି । ପ୍ରାୟ ୧୦ ଏକରରୁ ଉର୍ଦ୍ଧ୍ୱ ଜମିରେ ଏହି ଫାର୍ମ ହାଉସ୍ ନିର୍ମାଣ କରାଯାଇଛି । ଯେଉଁଥିରେ ଆମ୍ବ ଏବଂ ଶାଳ ବଗିଚା ରହିଛି । ସେହିପରି ସେହି ତାରାଗାଁରେ ଆଉ ୪ ଏକର ୩୫ ଡେସିମିଲ୍ ପରିମିତ ଜମିରେ ଅନ୍ୟ ଏକ ଫାର୍ମ ହାଉସ ରହିଛି ଯେଉଁଠାରେ ନୀଲଗିରି ଗଛ ବଗିଚା ରହିଛି । ଜୟପୁର, ବୋରିଗୁମା, କୋଟପାଡ଼ ଏବଂ ପଟାଙ୍ଗୀ ତହସିଲରେ ମୋଟ ୩୨ଟି ବହୁମୂଲ୍ୟ ପ୍ଲଟ୍ ରହିଛି । ସେହିପରି ଚଢ଼ାଉ ବେଳେ ବାସଭବନରୁ ୫ ଲକ୍ଷ ୪୮ ହଜାର ନଗଦ ଟଙ୍କା, ୩୦୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ଅନ୍ୟାନ୍ୟ ବ୍ୟାଙ୍କ ଜମା ରାଶି ସମ୍ପର୍କରେ ଯାଞ୍ଚ ଜାରି ରହିଛି ।
ଚାକିରୀ ଜୀବନ
ଯଦି ସତ୍ୟନାରାୟଣଙ୍କ ଚାକିରୀ ଜୀବନ ଦେଖିବା ତାହା ହେଲେ ସେ ୨୨ ଜାନୁଆରୀ ୧୯୯୮ରେ ପରେ କୋରାପୁଟ, ଅମ୍ବାଗୁଡ଼ା ଅପର୍ କୋଲାବ ଡିଭିଜନରେ କନିଷ୍ଠ ଯନ୍ତ୍ରୀଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ମୁଖ୍ୟ ଯନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ । ତାଙ୍କର ପ୍ରାରମ୍ଭିକ ଦରମା ମାତ୍ର ୭,୧୦୦ ଟଙ୍କା ଥିଲା । ସେଠାରେ ସେ ମାତ୍ର ୧୦ ମାସ ରହିଥିଲେ । ଏହା ପରେ ଝରିଗାଁ, ଚନ୍ଦାହାଣ୍ଡି ଏବଂ ଜୟପୁର ଆଇଟିଡିଏକୁ ବଦଳି ହୋଇଥିଲେ । ୨୯ ଜୁଲାଇ ୨୦୧୫ରେ କୋଟପାଡ଼ ବ୍ଲକକୁ ସହକାରୀ ଯନ୍ତ୍ରୀଭାବରେ ପଦୋନ୍ନତି ପାଇ ବଦଳି ହୋଇଯାଇଥିଲେ ।୧୩ ଜୁନ୍ ୨୦୨୦ରେ ପୁନର୍ବାର ବୋରିଗୁମାକୁ ସ୍ଥାନାନ୍ତରିତ ହୋଇଥିଲେ । ଏହା ପରେ ୩ ସେପ୍ଟେମ୍ବର ୨୦୨୫ରେ ସେ ସହକାରୀ ନିର୍ବାହୀ ଯନ୍ତ୍ରୀକୁ ପଦୋନ୍ନତି ପାଇ ଏବେ ପର୍ଯ୍ୟନ୍ତ କୋଟପାଡ଼ରେ କାର୍ଯ୍ୟରତ ଅଛନ୍ତି ।