ଯାଜପୁର: ବର୍ଷା ହେଉନି। ଖରାରେ ଫାଟିପଡ଼ୁଛି ମାଟି। ଚାଷୀଙ୍କ ମନରେ ବଢ଼ୁଛି ଚିନ୍ତା। ଆଉ ଏହି ସମୟରେ ବର୍ଷାଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଏକ ନିଆରା ପରମ୍ପରାର ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗହ୍ମାରିଆ ଗାଁରେ। ଏଠାରେ ଦୁଇ ପୁରୁଷଙ୍କ ମଧ୍ୟରେ ହୋଇଛି ‘ଅଣ୍ଡିରା ବିବାହ’, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ଜୁନ୍ ୧୭ ତାରିଖ ସନ୍ଧ୍ୟା। ଗହ୍ମାରିଆ ଗାଁ ଉତ୍ସବମୁଖର। ରଙ୍ଗିନ ଆଲୋକରେ ସଜା ହୋଇଥିବା ଗାଡ଼ିରେ ବର ସାଜି ଆସିଥିଲେ ଯତିନ ଖଟୁଆ। ଡିଜେର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ। ବାଣ ଫୁଟୁଥିଲା, ଢୋଲ ବାଜୁଥିଲା, ଆଉ ଗାଁ ରାସ୍ତାରେ ଦେଖିବାକୁ ମିଳୁଥିଲା ଏକ ସତ ସତିକା ବିବାହର ମାହୋଲ।
ବରଯାତ୍ରୀ ଯାଇ ପହଞ୍ଚିଥିଲା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧେଶ୍ୱରୀଙ୍କ ପୀଠରେ। ସେଠାରେ ପୂର୍ବରୁ କନ୍ୟା ବେଶରେ ସଜି ଅପେକ୍ଷା କରିଥିଲେ କାଳନ୍ଦି ନାୟକ। ତା’ପରେ ଆରମ୍ଭ ହୋଇଥିଲା ବିବାହ ରୀତିନୀତି। ମନ୍ତ୍ରୋଚ୍ଚାରଣ, ପୂଜାର୍ଚ୍ଚନା ଓ ସମସ୍ତ ହିନ୍ଦୁ ପରମ୍ପରା ମଧ୍ୟରେ ସମ୍ପନ୍ନ ହୋଇଥିଲା ଏହି ନିଆରା ବିବାହ।
ତେବେ ଏହା କୌଣସି ସାଧାରଣ ବିବାହ ନୁହେଁ। ଗାଁର ବିଶ୍ୱାସ ଅନୁସାରେ, ଯେତେବେଳେ ବର୍ଷାରେ ଅନିୟମିତତା ଦେଖାଯାଏ କିମ୍ବା ଖରା ପରିସ୍ଥିତି ସୃଷ୍ଟି ହୁଏ, ସେତେବେଳେ ‘ଅଣ୍ଡିରା ବିବାହ’ କରାଗଲେ ଭଲ ବର୍ଷା ହୋଇଥାଏ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୨୫ ବର୍ଷ ତଳେ ଶେଷଥର ପାଇଁ ଏଭଳି ବିବାହ ହୋଇଥିଲା। ଏଥର କମ୍ ବର୍ଷା ଓ ଚାଷକୁ ନେଇ ଚିନ୍ତା ବଢ଼ିବା ପରେ ପୁଣିଥରେ ଏହି ପରମ୍ପରାକୁ ଜୀବନ୍ତ କରାଯାଇଛି।
ବିବାହ ଶେଷ ହେବା ପରେ କନ୍ୟାଙ୍କୁ ପାରମ୍ପରିକ ଢଙ୍ଗରେ ବିଦାୟ ଦିଆଯାଇଥିଲା। ଏହାପରେ ମନ୍ଦିର ନିକଟରେ ଆୟୋଜିତ ହୋଇଥିବା ଭୋଜିରେ ସମଗ୍ର ଗାଁ ସାମିଲ ହୋଇଥିଲା। ହସ, ଖୁସି ଓ ଉତ୍ସାହରେ ଭରିଯାଇଥିଲା ସମଗ୍ର ପରିବେଶ।
ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ନିଆରା ବିବାହ ଏବେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗ୍ରାମବାସୀଙ୍କ ଆଶା, ଏହି ପରମ୍ପରା ପରେ ବର୍ଷାଦେବତା ପ୍ରସନ୍ନ ହେବେ ଓ ଖୁବ୍ ଶୀଘ୍ର ମେଘ ବର୍ଷିବ। ଏବେ ସମସ୍ତଙ୍କ ନଜର ଆକାଶ ଉପରେ କେବେ ଆସିବ ବର୍ଷା, ଆଉ କେବେ ଭିଜିବ ଶୁଖିଲା ମାଟି।