ଗଞ୍ଜାମ ଜିଲ୍ଲାର ଜରଡ଼ା ଅଞ୍ଚଳରେ ଧରାପଡ଼ିଥିବା କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ ଘଟଣା ଏବେ ନୂଆ ମୋଡ଼ ନେଇଛି। ଏହି ମାମଲା ପଛରେ ଏକ ବଡ଼ ଆନ୍ତଃଜିଲ୍ଲା ଚୋରାଚାଲାଣ ରାକେଟ୍ ସକ୍ରିୟ ଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତକୁ କ୍ରାଇମବ୍ରାଞ୍ଚର ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’କୁ ହସ୍ତାନ୍ତର କରିବା ପାଇଁ ବ୍ରହ୍ମପୁର ଏସ୍ପି ସୁପାରିଶ କରିଛନ୍ତି।
ଏନେଇ ସିଆଇଡି-କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଘଟଣା ପରେ ବନ୍ୟଜନ୍ତୁ ଚୋରାଚାଲାଣ ଚକ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଗତ ଜୁନ୍ ୬ ତାରିଖରେ ତୁମ୍ବା ଫାଣ୍ଡି ଅଧୀନ ବୁରାତାଲ ଜଙ୍ଗଲରେ ବାଘ ଚମଡ଼ା କାରବାର ହେଉଥିବା ଗୁପ୍ତ ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଅଭିଯାନ ସମୟରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିଲା। ଏହାସହ ଦୁଇଟି ଜୀବନ୍ତ ହାତବୋମା ଓ ଗୋଟିଏ ଖଣ୍ଡା ମଧ୍ୟ ଜବତ କରାଯାଇଥିଲା।
ସଂରକ୍ଷିତ ବନ୍ୟଜନ୍ତୁର ଚମଡ଼ା, ବିସ୍ଫୋରକ ଏବଂ ମାରଣାସ୍ତ୍ର ଏକାଠି ମିଳିବା ଘଟଣା ତଦନ୍ତକାରୀ ସଂସ୍ଥାର ଚିନ୍ତା ବଢ଼ାଇଛି। ପ୍ରାଥମିକ ତଦନ୍ତରୁ ଏହା କେବଳ ଦୁଇ ଜଣଙ୍କ କାରବାର ନୁହେଁ, ବରଂ ଏକ ସଂଗଠିତ ଚୋରାଚାଲାଣ ନେଟୱାର୍କର ଅଂଶ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
ଯଦି ମାମଲାର ତଦନ୍ତ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ ହାତକୁ ଯାଏ, ତେବେ ଏହି ରାକେଟର ମାଷ୍ଟରମାଇଣ୍ଡ, କ୍ରେତା, ମଧ୍ୟସ୍ଥ ଏବଂ ଆର୍ଥିକ କାରବାର ସହ ଜଡ଼ିତ ଅନେକ ଗୁପ୍ତ ଲିଙ୍କ୍ର ଖୁଲାସା ହୋଇପାରେ। ଏବେ ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।