ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡ୍ରି(ଆଇଭିଏସଏଏଚ)ରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା ସ୍ନାତକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭାରତର କୁକ୍କୁଟ ଏବଂ ଦୁଗ୍ଧଚାଷ ଶିଳ୍ପରେ ନିଜକୁ ନିୟୋଜିତ କରିବା ନେଇ ରହିଥିବା ବିଭିନ୍ନ ସୁବିଧାସୁଯୋଗ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ୟ୍ୟକ୍ରମରେ ବିଶେଷଜ୍ଞ ଭାବେ ମହାରାଷ୍ଟ୍ରର ପୁନେସ୍ଥିତ ଗ୍ରୀନମାଇକ୍ରୋର ସିଇଓ ଡ଼ଃ ପ୍ରଦୀପ ପି. ଲିଙ୍ଗେ ଯୋଗଦେଇଥିଲେ । ସେ ପିପିଟି ମାଧ୍ୟମରେ ବି.ଭି.ଏସ.ସି ଆଣ୍ଡ ଏ.ଏଚର ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଇଭେଟ ପ୍ରାକ୍ଟିସ, ଉଦ୍ୟୋଗ ସ୍ଥାପନ, ସରକାରୀ ଚାକିରି, ବ୍ୟାବସାୟିକ ଭିତ୍ତିରେ କୁକ୍କୁଟ ଓ ଦୁଗ୍ଧଚାଷ ଫାର୍ମ ପ୍ରତିଷ୍ଠା, ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଏବଂ କୁକ୍କୁଟ ଓ କୁକ୍କୁଟ ଜାତୀୟ ଦ୍ରବ୍ୟର ପ୍ରସ୍ତୁତି ସହିତ ନିରପେକ୍ଷ ବିତରଣ ଆଦି ଦିଗରେ ଆତ୍ମନିର୍ଭରଶୀଳ ହେବା ପାଇଁ ରହିଥିବା ସୁବିଧାସୁଯୋଗ ଉପରେ ଆଲୋଚନା କରିଥିଲେ ।
ଆଇଭିଏସଏଏଚର ଡିନ ପ୍ରଫେସର ଡ଼. ସୁଶାନ୍ତ କୁମାର ଦାସ ସଭାପତିତ୍ୱ କରି ଏହି ଆଲୋଚନାଚକ୍ର ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । କୁକ୍କୁଟ ଉତ୍ପାଦନ ବିଭାଗର ମୁଖ୍ୟ ତଥା ପ୍ରଫେସର ଡ଼ଃ ନବ କିଶୋର ପ୍ରହରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
କାର୍ୟ୍ୟକ୍ରମରେ ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ମଧ୍ୟରେ ପାରସ୍ପାରିକ ମତ ବିନିମୟ ହୋଇଥିଲା । ସର୍ବଶେଷରେ ଅଣୁ ଜୀବତତ୍ତ୍ୱ ବିଭାଗର ସହକାରୀ ଅଧ୍ୟାପକ ଡ଼ଃ ବୀର କିଶୋର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ଶହେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଯୋଗଦାନ କରିଥିଲେ ।