ରାଉରକେଲା: ରାଉରକେଲାରେ ଡବଲ୍ ଏନକାଉଣ୍ଟର । ହତ୍ୟା ଅଭିଯୋଗରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ଚୁନୁ ହରିପା ଏବଂ ସୁଶାନ୍ତ । ଶୁକ୍ରବାର-ଶନିବାର ରାତିରେ ଏନକାଉଣ୍ଟର ଘଟିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁନ୍ ୧୬ରେ ନିଶା ସେବନକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା । ଗୋଲଘର ରାମେଶ୍ବରପାଲି ବସ୍ତିର ରାଉରକେଲା ମହାନଗର ନିଗମ(ଆର୍ଏମ୍ସି)ରେ ହେଲ୍ପର ଭାବେ କାମ କରୁଥିବା ତୋଫାନ ବିନ୍ଧାଣୀଙ୍କୁ ଜଙ୍ଗଲରେ ହାଣି ହତ୍ୟା କରାଯାଇଥିଲା । ଗତ ଜୁନ ୧୪ ପହିଲି ରଜ ଦିନ ନାରାୟଣପାଲି ବସ୍ତିର କିଛି ଯୁବକ ସେକ୍ଟର-୬ ଅଞ୍ଚଳରେ ନିଶା ସେବନ କରୁଥିଲେ । ତୋଫାନ ବିନ୍ଧାଣୀ ବିରୋଧ କରିଥିଲେ । ଏହା ପରେ ରାମେଶ୍ୱରପାଲି ଓ ନାରାୟଣପାଲି ବସ୍ତିର ଯୁବକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଜୁନ ୧୬ ତାରିଖ ଅପରାହ୍ନ ୧ଟା ବେଳେ ରାମେଶ୍ୱରପାଲି ବସ୍ତି ୫ରୁ ୭ ଜଣ ଯୁବକଙ୍କ ସହ ତୋଫାନ ସ୍କୁଲ ପାଖ ଜଙ୍ଗଲରେ ଖିଆପିଆ କରୁଥିଲା। ନାରାୟଣପାଲି ବସ୍ତିର ୧୫ରୁ ଅଧିକ ଯୁବକ ଜଙ୍ଗଲରେ ପହଞ୍ଚି ତୋଫାନ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ତୋଫାନଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଶୁଭେନ୍ଦୁ ମଧ୍ୟ ଆହତ ହୋଇଥିଲେ ।
ଏହା ପରେ ରାଉରକେଲା ପୋଲିସ ୫ଟି ଟିମ୍ ଗଠନ କରିଥିଲା । ଏଥିରେ ପ୍ରାୟ ୧୫ ଜଣ ସମ୍ପୃକ୍ତ ଥିବା କୁହାଯାଉଛି । ଆଖପାଖ ସମସ୍ତ ଜିଲ୍ଲାରେ ପୋଲିସ ଛାନଭିନ୍ ଜାରି ରଖିଛି । କିଛି ରାଜ୍ୟ ବାହାରକୁ ଚାଲି ଯାଇଥିବା ଅନୁମାନ କରାଯାଉଛି । ତେବେ ଦୁଇ ଜଣଙ୍କୁ ଏନକାଉଣ୍ଟର ପରେ ଅନ୍ୟମାନେ ଖୁବ ଶୀଘ୍ର ଧରାପଡ଼ି ପାରନ୍ତି ବୋଲି ଅନୁମାନ କରାଯାଉଛି ।