କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ତିଖିରି ସରପଞ୍ଚ ଚାମେଲି ଓଝା ବିବାଦ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମହାକାଳପଡ଼ା ପୋଲିସ। ଚାମେଲି ଓଝାଙ୍କୁ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ହିମାଂଶୁ ପ୍ରଧାନ ଗିରଫ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି।
ବିଡିଓଙ୍କ ଚାମ୍ବର ଭିତରେ ହୋଇଥିବା ବିବାଦ ଓ ଚାମେଲିଙ୍କୁ ଦୁର୍ବ୍ୟବହାର ଘଟଣାରେ ହିମାଂଶୁ ସମ୍ପୃକ୍ତି ନେଇ ପୋଲିସ ପ୍ରମାଣ ପାଇଥିଲା। ତଥ୍ୟ ପ୍ରମାଣ ପାଇବା ପରେ ଆଜି ପୋଲିସ ହିମାଂଶୁଙ୍କୁ ଗିରଫ କରିଛି। ହିମାଂଶୁ ମହାକାଳପଡ଼ା ବ୍ଲକ୍ ଆତ୍ମା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଏହି ମାମଲାରେ ପୂର୍ବରୁ ପାର୍ଥସାରଥୀ ସାମନ୍ତରାୟ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା ।
ଗତ ଜୁନ୍ ୧୧ ତାରିଖରେ ଚାମେଲି ଓଝା ବିଡ଼ିଓଙ୍କୁ ବକେୟା ବିଲ୍ ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିବା ଯୁକ୍ତି ତର୍କ ହୋଇଥିଲା । ଚାମେଲି ଓଝାଙ୍କ ସହିତ ଯାଇଥିବା ଅନ୍ୟ ବ୍ୟକ୍ତି ବିନା ଅନୁମତିରେ ବିଡ଼ିଓଙ୍କ ଚ୍ୟାମ୍ବର ଭିତରକୁ ପଶିବା ସହିତ ଭିଡ଼ିଓ ଉତ୍ତୋଳନ କରିଥିଲେ । ଯାହାକୁ ବିଡ଼ିଓ ବାରଣ କରିଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପାର୍ଥସାରଥୀ ଓ ହିମାଂଶୁଙ୍କର ଚାମେଲିଙ୍କ ସହିତ ଯୁକ୍ତି ତର୍କ କରିଥିଲେ । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଚାମେଲି ଏ ନେଇ ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ ।