ମୟୁରଭଞ୍ଜ: ମୟୁରଭଞ୍ଜ ମାଟିରେ ଲେଖା ହୋଇଛି ନୂତନ ଇତିହାସ । ଉପାନ୍ତ ଅଞ୍ଚଳରେ ଗୋଟିଏ ମଞ୍ଚରେ ବସିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ ଜନ୍ମ ଦିନ ସହିତ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି ।
ପ୍ରଥମେ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗସ୍ତ କରିଥିଲେ । ଗୋଷାଣୀପୀଠରେ ସାନ୍ତାଳୀଙ୍କ ପବିତ୍ର ପୀଠ ଜାହିରାରେ ଯାଇ ପୂଜାର୍ଚ୍ଚନା ପ୍ରଧାନମନ୍ତ୍ରୀ କରିଥିଲେ । ସେହିପରି ବୃକ୍ଷ ରୋପଣ କରିଥିଲେ । ତତସହିତ ଏସ୍ଏଲ୍ଏସ୍ ସ୍କୁଲକୁ ଯାଇ ପିଲାଙ୍କ ସହ ସମୟ ବିତାଇଥିଲେ । ଏହି ସ୍କୁଲର ନାଁକୁ ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁଅଙ୍କ ନାଁରେ ନାମିତ କରାଯାଇଛି । ଦକ୍ଷତା ବିକାଶ କେନ୍ଦ୍ର ଯାଇ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ପାହାଡ଼ପୁର ହେବ ସୂର୍ଯ୍ୟଗ୍ରାମ
ଏହା ପରେ ପ୍ରଧାନମନ୍ତ୍ରୀ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସ୍ମରଣ କରିଛନ୍ତି । ଦିବଙ୍ଗତ ଆଦିବାସୀ ସମାଜ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇବାକୁ ସହିତ ତାଙ୍କ ଦୀର୍ଘାୟୁ ପାଇଁ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି । ଓଡ଼ିଶା ମାଟିର ଝିଅ ଆଜି ରାଷ୍ଟ୍ରପତି ହୋଇଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ସେ କେବଳ ମୟୁରଭଞ୍ଜ ନୁହେଁ ସମଗ୍ର ଓଡ଼ିଶାର ପରିଚୟକୁ ସଶକ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ପାହାଡ଼ପୁର ଗ୍ରାମର ତୀବ୍ର ଗତିରେ ସୌର ଶକ୍ତିର ବିକାଶ କରାଯିବ । ସୂର୍ଯ୍ୟମନ୍ଦିର ପାଇଁ ଓଡ଼ିଶାର କୋଣାର୍କ ପରି ପାହାଡ଼ପୁର ସୂର୍ଯ୍ୟଗ୍ରାମ ଭାବରେ ପରିଚିତ ହେବ ।
ପୂର୍ବ ଭାରତକୁ ଅଣଦେଖା କରିଥିଲା କଂଗ୍ରେସ
ସେହିପରି ପ୍ରଧାନମନ୍ତ୍ରୀ ସରକାର ସଫଳତା ଉପରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରରେ ତୀବ୍ର ଗତିରେ ବିକାଶ ହେଉଛି । ଆର୍ଥିକ ବିକାଶ ହେବା ସହିତ ରୋଜଗାର ବୃଦ୍ଧି ପାଇଛି । କେନ୍ଦ୍ର ସରକାର ପୂର୍ବୋଦୟ ଭାରତ ନୀତିରେ କାମ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସିଧାସଳଖ ସମାଲୋଚନା କରିଛନ୍ତି । କଂଗ୍ରେସ ଶାସନ କାଳରେ ପୂର୍ବ ଭାରତକୁ ଅଣଦେଖା କରାଯାଇଥିଲା । ସେହି ପୂର୍ବ ଭାରତ ପ୍ରଗତିର ପ୍ରବେଶ ପଥ ହୋଇଛି, ଆଉ ଓଡ଼ିଶା ନିଜେ ଏହି ପରିବର୍ତ୍ତନର ସାକ୍ଷୀ ହେଉଛି । ଓଡ଼ିଶା ପାଖରେ କୃଷି, ଖଣି ଏବଂ ଯୁବ ପ୍ରତିଭା ଭଳି ସାମର୍ଥ୍ୟ ରହିଛି । ଓଡ଼ିଶାକୁ ଆଜି ପୁଞ୍ଜି ନିବେଶ ବଢ଼ୁଛି ।
ଓଡ଼ିଶାର ସ୍ୱଚ୍ଛତା ଅଭିଯାନକୁ ପ୍ରଶଂସା
ବିଜେପି ସରକାରରେ କୃଷକଙ୍କ ପାଇଁ ଧାନର ଏମଏସପି ବୃଦ୍ଧି, ମହିଳାଙ୍କୁ ସଶକ୍ତ କରିବାକୁ ସୁଭଦ୍ରା ଯୋଜନା, ଆୟୁଷ୍ମାନ ଯୋଜନାରେ ସାରା ଭାରତରେ ଚିକିତ୍ସା ସୁବିଧା, ଆଦିବାସୀ ବିଦ୍ୟାର୍ଥୀଙ୍କ ଅଧାରୁ ପାଠ ପଢ଼ା ବନ୍ଦ ନ ହେବା ପାଇଁ ସହୀଦ ମାଧୋ ସିଂହ ହତ ଖର୍ଚ୍ଚ ଯୋଜନା, ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଯାଇଛି । ଡବଲ୍ ଇଞ୍ଜିନ ସରକାର ଆସିବା ପରେ ସମସ୍ତ ଦିଗରେ ବିକାଶକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟରେ ସ୍ୱଚ୍ଛ ଭାରତର ଅଭିଯାନକୁ ମୋଦୀ ପ୍ରଶଂସା କରିଛନ୍ତି । ସ୍ୱଚ୍ଛତାରେ ସ୍ୱାଗତ କରାଯାଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାର, ପ୍ରଶାସନ ଏବଂ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସ୍ୱଚ୍ଛତା ଆମ ଜୀବନଶୈଳୀର ଏକ ଅଂଶ ହେବା ଜରୁରୀ ବୋଲି ମୋଦୀ କହିଛନ୍ତି ।
ସେହିପରି ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ଜାରି ରହିଛି । ଶିକ୍ଷା, ସଡ଼କ, ସ୍ୱାସ୍ଥ୍ୟ ବିଭିନ୍ନ ବିଭାଗ ଦ୍ୱାରା ମିଳିତ ଉଦ୍ୟମରେ କାମ କରାଯାଉଛି । ଆଦିବାସୀ ସମାଜ କଠିନ ଜୀବନରୁ ବାହାରି ବିକାଶ ଧାରାରେ ସାମିଲ ହେଉଛନ୍ତି । ଆମ ସାମ୍ନାରେ ଦୁଇଟି ଲକ୍ଷ୍ୟ ରହିଛି ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ରତାର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ହେବ । ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ ଦିଗରେ ରହିଛି । ଆମ ସମସ୍ତଙ୍କୁ ମିଳିମିଶି ଓଡ଼ିଶାର ବିକାଶକୁ ଶୀର୍ଷରେ ପହଁଚାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ପରିଶେଷରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ ଅଧିକରୁ ଅଧିକ ମାତ୍ରାରେ ଯୋଗ ଦେବାକୁ କହିଛନ୍ତି ।