କୋରାପୁଟ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଚଢ଼ଉ ପରେ ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଗିରଫ ହୋଇଛନ୍ତି । ଚଢ଼ଉ ସମୟରେ ତାଙ୍କର ଅଚଳାଚଳ ସମ୍ପତ୍ତି ଠାବ ହେବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଯନ୍ତ୍ରୀ ଶ୍ରୀଯୁକ୍ତ ସେଠୀଙ୍କର କୋରାପୁଟ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧାର ୭ଟି ଠିକଣାରେ ଏକାକାଳୀନ ରେଡ୍ କରାଯାଇଥିଲା । କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଏକକାଳୀନ ତଲାସ କରାଯାଇଥିଲା । ଯନ୍ତ୍ରୀଙ୍କର ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛି । ତାଙ୍କର ୩ଟି ଫାର୍ମ ହାଉସ୍ (୧୪ ଏକର ଜମିରେ), ୨ଟି ଫ୍ଲାଟ୍, ସେଥିମଧ୍ୟରୁ ଗୋଟିଏ ବେନାମା, ଜୟପୁର, ବୋରିଗୁମା, କୋଟପାଡ଼ ଏବଂ ପଟାଙ୍ଗୀ ତହସିଲରେ ବହୁମୂଲ୍ୟ ୪୯ଟି ପ୍ଲଟ୍ ରହିଛି, ସେଥିରେ ୧୭ଟି ପ୍ଲଟ୍ ବେନାମୀ ରହିଛି । କୋରାପୁଟ ଜିଲ୍ଲାରେ ବୋରିଗୁମା ତହସିଲ ତାରାଗାଁରେ ଏକ ବିଶାଳ ଫାର୍ମ ହାଉସ ରହିଛି । ପ୍ରାୟ ୧୦ ଏକରରୁ ଉର୍ଦ୍ଧ୍ୱ ଜମିରେ ଏହି ଫାର୍ମ ହାଉସ୍ ନିର୍ମାଣ କରାଯାଇଛି । ଯେଉଁଥିରେ ଆମ୍ବ ଏବଂ ଶାଳ ବଗିଚା ରହିଛି । ସେହିପରି ୯୪୦ ଗ୍ରାମ ସୁନା ଗହଣା, ୨.୫୦୦ ଗ୍ରାମ ରୁପା ଅଳଙ୍କାର, ୫ ଲକ୍ଷ ୪୮ ହଜାର ନଗଦ ଟଙ୍କା, ୬୦ ଲକ୍ଷ ୯୨ ହଜାର ବ୍ୟାଙ୍କ ଜମାରାଶି ଏବଂ ଏକ ବେନାମୀ କାର୍ ଠାବ କରାଯାଇଥିଲା ।
ଚାକିରୀ ଜୀବନ
ଯଦି ସତ୍ୟନାରାୟଣଙ୍କ ଚାକିରୀ ଜୀବନ ଦେଖିବା ତାହା ହେଲେ ସେ ୨୨ ଜାନୁଆରୀ ୧୯୯୮ରେ ପରେ କୋରାପୁଟ, ଅମ୍ବାଗୁଡ଼ା ଅପର୍ କୋଲାବ ଡିଭିଜନରେ କନିଷ୍ଠ ଯନ୍ତ୍ରୀଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ପରେ ମୁଖ୍ୟ ଯନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ । ତାଙ୍କର ପ୍ରାରମ୍ଭିକ ଦରମା ମାତ୍ର ୭୧୦୦ ଟଙ୍କା ଥିଲା । ସେଠାରେ ସେ ମାତ୍ର ୧୦ ମାସ ରହିଥିଲେ । ଏହା ପରେ ଝରିଗାଁ, ଚନ୍ଦାହାଣ୍ଡି ଏବଂ ଜୟପୁର ଆଇଟିଡିଏକୁ ବଦଳି ହୋଇଥିଲେ । ୨୯ ଜୁଲାଇ ୨୦୧୫ରେ କୋଟପାଡ଼ ବ୍ଲକକୁ ସହକାରୀ ଯନ୍ତ୍ରୀଭାବରେ ପଦୋନ୍ନତି ପାଇ ବଦଳି ହୋଇଯାଇଥିଲେ ।୧୩ ଜୁନ୍ ୨୦୨୦ରେ ପୁନର୍ବାର ବୋରିଗୁମାକୁ ସ୍ଥାନାନ୍ତରିତ ହୋଇଥିଲେ । ଏହା ପରେ ୩ ସେପ୍ଟେମ୍ବର ୨୦୨୫ରେ ସେ ସହକାରୀ ନିର୍ବାହୀ ଯନ୍ତ୍ରୀକୁ ପଦୋନ୍ନତି ପାଇ ଏବେ ପର୍ୟ୍ୟନ୍ତ କୋଟପାଡ଼ରେ କାର୍ୟ୍ୟରତ ଅଛନ୍ତି ।