ବାଲିଆପାଳ: ବାଲିଆପାଳ ଅଞ୍ଚଳରେ ପ୍ରସ୍ତାବିତ ବ୍ରିଜ୍ ନିର୍ମାଣ ପାଇଁ ଚାଲିଥିବା ସର୍ଭେ କାର୍ଯ୍ୟ ବେଳେ ଘଟିଥିବା ଦୁଃଖଦ ଅଘଟଣ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ଯୁବକ ବିଜୟ ବେହେରାଙ୍କ ମୃତଦେହ ଘଟଣାର ପ୍ରାୟ ୨୪ ଘଣ୍ଟା ପରେ ମନ୍ତେଇ ନଦୀରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ବାଲିଆପାଳ ନଦୀ ଉପରେ ପ୍ରସ୍ତାବିତ ବ୍ରିଜ୍ ପାଇଁ ରୋଡ଼ ଓ ସର୍ଭେ କାମରେ ନିୟୋଜିତ ତିନି ଜଣ ଯୁବକ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଏକ ଅସ୍ଥାୟୀ ଟଣା ଡଙ୍ଗାରେ ନଦୀ ପାର ହେଉଥିଲେ। ହେଲେ ନଦୀ ମଝିରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଫଳରେ ତିନି ଜଣ ଯୁବକ ପାଣିରେ ଭାସିଯାଇଥିଲେ। ଦୁଇ ଜଣ କୌଣସି ପ୍ରକାରେ କୂଳକୁ ଫେରି ଆସିଥିବାବେଳେ ବିଜୟ ନିଖୋଜ ହୋଇଯାଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ଖୋଜାଖୋଜି ଚାଲିଥିଲା। ଶେଷରେ ୨୪ ଘଣ୍ଟା ପରେ ମନ୍ତେଇ ନଦୀରୁ ବିଜୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଣ୍ଟେଶ୍ୱର ଫାଣ୍ଡି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସର୍ଭେ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।