ୱାଶିଂଟନ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ କୋଭିଡ୍-୧୯ର ଉତ୍ପତ୍ତିକୁ ନେଇ ପୁଣି ଥରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଆମେରିକାର ନ୍ୟାସନାଲ ଅନ୍ତର୍ଜାତୀୟ ଗୁଇନ୍ଦାର ପୂର୍ବତନ ନିର୍ଦ୍ଦେଶିକା ତୁଲସୀ ଗାବାର୍ଡ ନିଜ କାର୍ଯ୍ୟକାଳର ଶେଷ ସମୟରେ ଏକ ସାଂଘାତିକ ଖୁଲାସା କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଆମେରିକାର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଚୀନ୍ର ସେହି ବିବାଦୀୟ 'ଉହାନ ଲ୍ୟାବ୍'କୁ ଆର୍ଥିକ ସହାୟତା ବା ଫଣ୍ଡିଂ ଯୋଗାଇ ଦେଉଥିଲେ, ଯେଉଁଠାରୁ କରୋନା ଜୀବାଣୁ ସାରା ଦୁନିଆକୁ ବ୍ୟାପିଥିବା ସନ୍ଦେହ କରାଯାଉଛି।
ତୁଲସୀଙ୍କ ବଡ଼ ବୋମା ବିସ୍ଫୋରଣ
ଆମେରିକା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ବିଦାୟ ନେବା ପୂର୍ବରୁ ତୁଲସୀ ଗାବାର୍ଡଙ୍କ ଏହି ବଡ଼ ଦାବି ସମସ୍ତଙ୍କୁ ଚକିତ କରିଦେଇଛି। ସେ ସିଧାସଳଖ ଆମେରିକାର ଜଣେ ଶୀର୍ଷ ସରକାରୀ ବୈଜ୍ଞାନିକଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି। ସମ୍ପୃକ୍ତ ବୈଜ୍ଞାନିକ ଜଣକ ସରକାରୀ ପାଣ୍ଠିର ଏକ ବଡ଼ ଅଂଶ ଚୀନ୍ର ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ପାଣ୍ଠି ବ୍ୟବହାର କରି ବିପଦଜ୍ଜନକ ଭୂତାଣୁ ଉପରେ ଗବେଷଣା ଚାଲିଥିଲା, ଯାହା ପରବର୍ତ୍ତୀ ସମୟରେ ମହାମାରୀର ରୂପ ନେଇଥିଲା।
ରିପୋର୍ଟ ଅନୁଯାୟୀ, ଏହି ଆର୍ଥିକ ସହାୟତା ମାଧ୍ୟମରେ ଉହାନ ଲ୍ୟାବ୍ରେ 'ଗେନ୍ ଅଫ୍ ଫଙ୍କସନ୍'ଭଳି ବିପଦଜ୍ଜନକ ପ୍ରୟୋଗ କରାଯାଉଥିଲା। ଏହି ପ୍ରକ୍ରିୟାରେ ଭୂତାଣୁଗୁଡ଼ିକୁ ଅଧିକ ଶକ୍ତିଶାଳୀ ଓ ସଂକ୍ରାମକ କରାଯାଇଥାଏ, ଯେମିତି କି ସେଗୁଡ଼ିକ ମଣିଷ ଶରୀର ଉପରେ ସହଜରେ ଆକ୍ରମଣ କରିପାରିବେ। ଆମେରିକାରେ ଏଭଳି ଗବେଷଣା ଉପରେ କଟକଣା ଥିବା ସତ୍ତ୍ୱେ, ବୈଜ୍ଞାନିକ ଜଣକ ନିୟମକୁ ଆଖିଠାର ମାରି ଚୀନ୍ ମାଧ୍ୟମରେ ଏହାକୁ ପ୍ରୋତ୍ସାହନ ଦେଉଥିଲେ ବୋଲି ତୁଲସୀ ସୂଚନା ଦେଇଛନ୍ତି।
ବିଶ୍ୱ ରାଜନୀତିରେ ହଲଚଲ
ତୁଲସୀ ଗାବାର୍ଡଙ୍କ ଏହି ବିସ୍ଫୋରକ ବୟାନ ପରେ ଆମେରିକା ରାଜନୀତି ସମେତ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି। କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଜୀବନ ହରାଇଥିବା ବେଳେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଏଭଳି ସ୍ଥିତିରେ ଯଦି ଆମେରିକାର ପାଣ୍ଠିରେ ଚୀନ୍ ଏହି ମାରାତ୍ମକ ଭୂତାଣୁ ପ୍ରସ୍ତୁତ କରୁଥିଲା, ତେବେ ଏହା ଆଗାମୀ ଦିନରେ ଏକ ବଡ଼ ଆନ୍ତର୍ଜାତୀୟ ବିବାଦର ରୂପ ନେଇପାରେ। ସମ୍ପୃକ୍ତ ବୈଜ୍ଞାନିକଙ୍କ ବିରୋଧରେ କଠୋର ତଦନ୍ତ ପାଇଁ ଦାବି ହେବାରେ ଲାଗିଛି।