ଯେରୁଜେଲମ: ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ରାଜିନାମା ପରେ ଏବେ ସାରା ବିଶ୍ୱର ନଜର ଇସ୍ରାଏଲ ଉପରେ ରହିଛି। ଏହି କ୍ରମରେ ଗୁରୁବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏହି ଚୁକ୍ତି ଉପରେ ନିଜର ପ୍ରଥମ ପ୍ରତିକ୍ରିୟା ରଖି ଏକ ବଡ଼ ବୟାନ ଦେଇଛନ୍ତି। ନେତନ୍ୟାହୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଯେ ପର୍ଯ୍ୟନ୍ତ ମୁଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଅଛି, ସେ ପର୍ଯ୍ୟନ୍ତ ଇରାନ କେବେ ମଧ୍ୟ ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ।
ନେତନ୍ୟାହୁଙ୍କ ଏହି ଆଭିମୁଖ୍ୟ ଇରାନର ପରମାଣୁ କାର୍ଯ୍ୟକ୍ରମ ପ୍ରତି ତାଙ୍କର ପୁରୁଣା ଓ କଠୋର ଆଭିମୁଖ୍ୟକୁ ପୁଣି ଥରେ ଦୋହରାଇଛି। ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହେବାରୁ ରୋକିବାକୁ ନେତନ୍ୟାହୁ ନିଜ ଜୀବନର ସବୁଠାରୁ ବଡ଼ ମିଶନ ବୋଲି ମାନନ୍ତି। ଏଥିପାଇଁ ସେ ପୂର୍ବରୁ ଅନେକ ଥର ଇରାନକୁ ଖୋଲାଖୋଲି ଚେତାବନୀ ଦେବା ସହ ସାମରିକ ଆକ୍ରମଣ ମଧ୍ୟ କରିସାରିଛନ୍ତି।
ଦକ୍ଷିଣ ଲେବାନନରୁ ହଟିବ ନାହିଁ ଇସ୍ରାଏଲ ସେନା
ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହୋଇଥିଲେ ସୁଦ୍ଧା ଇସ୍ରାଏଲ ନିଜ ସୁରକ୍ଷା ନୀତିରେ କୌଣସି ସାଲିସ୍ କରିବ ନାହିଁ ବୋଲି ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ରାଜିନାମାର ସର୍ତ୍ତ ଯାହା ବି ଥାଉନା କାହିଁକି, ଦକ୍ଷିଣ ଲେବାନନରୁ ଇସ୍ରାଏଲ ସେନାକୁ ହଟାଯିବ ନାହିଁ। ଆମେ ଆମର ଉତ୍ତର ସୀମାର ସୁରକ୍ଷାକୁ ସୁଦୃଢ଼ ରଖିବୁ।
'ଟାଇମ୍ସ ଅଫ୍ ଇସ୍ରାଏଲ'ର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି, "ଦକ୍ଷିଣ ଲେବାନନରେ ସୁରକ୍ଷା ବଳୟ ବଜାୟ ରଖିବା ଜରୁରୀ। ଯେ ପର୍ଯ୍ୟନ୍ତ ଇସ୍ରାଏଲର ସୁରକ୍ଷା ପାଇଁ ଆବଶ୍ୟକ ମନେହେବ, ସେପର୍ଯ୍ୟନ୍ତ ସେଠାରୁ ସେନା ପ୍ରତ୍ୟାହାର କରାଯିବାର ପ୍ରଶ୍ନ ଉଠୁନାହିଁ।
Also Read: ମହାରାଷ୍ଟ୍ରରେ ହଟଚମଟ ଶିବସେନାର ବିଦ୍ରୋହୀ ସାଂସଦମାନଙ୍କୁ ମିଳିଲା Y+ ସୁରକ୍ଷା, ପୋଲିସକୁ ହାଇ-ଆଲର୍ଟ ନିର୍ଦ୍ଦେଶ