ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ନାଟ୍ୟକାର ୱିଲିୟମ ଶେକ୍ସପିୟର ତାଙ୍କ ନାଟକ 'ରୋମିଓ ଆଣ୍ଡ ଜୁଲିଏଟ୍'ରେ ଲେଖିଥିଲେ, "ନାଁରେ କ'ଣ ରଖାଯାଇଛି ?। ହେଲେ ବାସ୍ତବ ଦୁନିଆରେ ଏବଂ ବିଶେଷ କରି ଆନ୍ତର୍ଜାତୀୟ ରାଜନୀତିରେ ନାମର ବହୁତ ବଡ଼ ଗୁରୁତ୍ୱ ରହିଛି। ସେଥିପାଇଁ ଆମେରିକା ପକ୍ଷରୁ ନିଆଯାଇଥିବା ଏକ ନାମକରଣ ନିଷ୍ପତ୍ତି ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଆମେରିକା ନିଜର ପ୍ରତିରକ୍ଷା ରଣନୀତିରେ ଏକ ବଡ଼ ପରିବର୍ତ୍ତନ କରି 'ୟୁଏସ୍ ଇଣ୍ଡୋ-ପ୍ୟାସିଫିକ୍ କମାଣ୍ଡ'ର ନାମକୁ ବଦଳାଇ ପୁଣିଥରେ 'ୟୁଏସ୍ ପ୍ୟାସିଫିକ୍ କମାଣ୍ଡ' କରିଦେଇଛି। ଏହି ନିଷ୍ପତ୍ତି ମାଧ୍ୟମରେ ଆମେରିକା ପ୍ରାୟ ୮ ବର୍ଷ ତଳେ ନେଇଥିବା ନିଜର ଏକ ନିଷ୍ପତ୍ତିକୁ ଓଲଟାଇ ଦେଇଛି।
କମାଣ୍ଡରୁ 'ଇଣ୍ଡୋ' ହଟିବା ପଛର ରହସ୍ୟ କଣ ?
ସାମରିକ ଓ ରଣନୈତିକ ବିଶେଷଜ୍ଞଙ୍କ ମତରେ, ଆମେରିକା ନିଜ କମାଣ୍ଡ୍ ନାମରୁ "ଇଣ୍ଡୋ" ଭାରତ ସହ ଜଡ଼ିତ ଶବ୍ଦ ହଟାଇବା ଆଦୌ ସାଧାରଣ କଥା ନୁହେଁ। ଏହାର ଅର୍ଥ ହୋଇପାରେ ଯେ, ଆମେରିକା ଏବେ ନିଜର 'ଇଣ୍ଡୋ-ପ୍ୟାସିଫିକ୍' ରଣନୀତି ଏବଂ ଭାରତ ସମେତ ଚାରି ଦେଶକୁ ନେଇ ଗଠିତ 'କ୍ୱାଡ୍'ସଂଗଠନକୁ ନେଇ ନିଜର ଆଭିମୁଖ୍ୟ ବଦଳାଉଛି।
ଆମେରିକାର ଏହି ଚାଞ୍ଚଲ୍ୟକର ଘୋଷଣା ଉପରେ କଂଗ୍ରେସର ବରିଷ୍ଠ ସାଂସଦ ଶଶି ଥରୁର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପ୍ରଶ୍ନ କରି ଲେଖିଛନ୍ତି, "ଏହା କଣ କ୍ୱାଡର କୋକେଇରେ ଶେଷ କୋକା ବା କଣ୍ଟା ? ଏହି ପୋଷ୍ଟ ସହିତ ସେ ଆମେରିକାର ଡିପାର୍ଟମେଣ୍ଟ ଅଫ୍ ୱାର୍ ଦ୍ୱାରା ଜାରି କରାଯାଇଥିବା ସରକାରୀ ଆଦେଶର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି।
ଆମେରିକା ପ୍ରତିରକ୍ଷା ବିଭାଗର ସଫେଇ
ଅନ୍ୟପଟେ, ଏହି ନାମ ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆମେରିକା ସରକାର ନିଜର ପକ୍ଷ ରଖିଛନ୍ତି। ଆମେରିକାର ଯୁଦ୍ଧ ବିଭାଗ କହିଛି ଯେ, ଏହି କମାଣ୍ଡର ଐତିହାସିକ ଗୁରୁତ୍ୱକୁ ସମ୍ମାନ ଜଣାଇ ନାମରେ ଏଭଳି ସଂଶୋଧନ କରାଯାଇଛି। ଏହା କେବଳ ଏକ ପ୍ରଶାସନିକ ନାମ ପରିବର୍ତ୍ତନ। ଏହାଦ୍ୱାରା କମାଣ୍ଡର ଆଭ୍ୟନ୍ତରୀଣ ଗଠନ, ଦାୟିତ୍ୱ ଏବଂ ଏହି ଅଞ୍ଚଳ ପ୍ରତି ଆମେରିକାର ଥିବା ପ୍ରତିବଦ୍ଧତାରେ କୌଣସି ପରିବର୍ତ୍ତନ ହେବ ନାହିଁ। ବର୍ତ୍ତମାନ ଏହି ୟୁଏସ୍ ପ୍ୟାସିଫିକ୍ କମାଣ୍ଡର କାର୍ଯ୍ୟକ୍ଷେତ୍ର ଆମେରିକାର ପଶ୍ଚିମ ଉପକୂଳ ଠାରୁ ଆରମ୍ଭ କରି ଭାରତର ପଶ୍ଚିମ ସୀମା ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି।