ନୂଆଦିଲ୍ଲୀ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଇରାନ ପାଖରେ କେବେ ହେଲେ ପରମାଣୁ ହତିଆର ରହିବ ନାହିଁ—ଆଜି ନୁହେଁ କି ଭବିଷ୍ୟତରେ ମଧ୍ୟ ନୁହେଁ। ବିରୋଧୀ ଓ ନିଜ ସଂଖ୍ୟାଗରିଷ୍ଠ ମେଣ୍ଟର ସମାଲୋଚନା ମଧ୍ୟରେ ନେତନ୍ୟାହୁ ନିଜ ସରକାରଙ୍କ ସଫଳତା ଆଡ଼କୁ ଇସାରା କରି କହିଛନ୍ତି, ଲୋକେ ମତେ ପଚାରୁଛନ୍ତି ଆମେ କ’ଣ ହାସଲ କଲୁ ? ମୋର ଗୋଟିଏ ଉତ୍ତର, ଆମେ ଇସ୍ରାଏଲ ଉପରୁ ମହାବିନାଶର ବିପଦକୁ ସମ୍ପୂର୍ଣ୍ଣ ଭାବେ ଟାଳି ଦେଇଛୁ। ଆମେ ଦେଶକୁ ଏକ ବଡ଼ ସଙ୍କଟରୁ ରକ୍ଷା କରିଛୁ।
ଅନ୍ୟପଟେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦର ପ୍ରମୁଖ ଦାବିଦାର ନଫ୍ତାଲି ବେନେଟ୍ ବର୍ତ୍ତମାନର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ନେତନ୍ୟାହୁ ସରକାରଙ୍କ କାର୍ଯ୍ୟକାଳ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତିରୁ ଆରମ୍ଭ ହୋଇଥିଲା, ଯାହା ଅକ୍ଟୋବର ୭ର ନରସଂହାର ଦେଇ ଗତି କଲା ଏବେ ଇରାନ ପ୍ରସଙ୍ଗରେ ଏକ ଐତିହାସିକ ବିଫଳତା ସହ ଶେଷ ହେବାକୁ ଯାଉଛି।
ବେନେଟ୍ ଦେଶର ସୁରକ୍ଷା ବ୍ୟବସ୍ଥାକୁ ପୁନର୍ବାର ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଯଦି ସେ କ୍ଷମତାରେ ଥାଆନ୍ତେ, ତେବେ କୂଟନୈତିକ ସ୍ତରରେ ରଣନୀତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା। ଏପରିକି ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଥିବା ନିଜର ବ୍ୟକ୍ତିଗତ ସମ୍ପର୍କକୁ କେବଳ ଇସ୍ରାଏଲର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ବ୍ୟବହାର କରିଥାନ୍ତେ ବୋଲି ଦାବି କରିଛନ୍ତି।
ଟ୍ରମ୍ପଙ୍କ ସହ ମତଭେଦ ସଂକ୍ରାନ୍ତରେ କ’ଣ କହିଲେ ନେତନ୍ୟାହୁ ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କିଛି ବିଷୟରେ ମତଭେଦ ଥିବା ଚର୍ଚ୍ଚା ଉପରେ ନେତନ୍ୟାହୁ ନିଜର ସଫେଇ ରଖିଛନ୍ତି। ସେ କହିଛନ୍ତି, ଏମିତି କିଛି ସମୟ ଆସେ ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୋର ଚିନ୍ତାଧାରା ଶତପ୍ରତିଶତ ସମାନ ହୋଇନଥାଏ। କିନ୍ତୁ ଇସ୍ରାଏଲର ସୁରକ୍ଷା ସ୍ୱାର୍ଥକୁ ସର୍ବଦା ବୁଦ୍ଧିମତ୍ତାର ସହ ରକ୍ଷା କରାଯିବା ଉଚିତ।
ଏହା ସହିତ ସେ ଦକ୍ଷିଣ ଲେବାନନରୁ ନିଜର ସେନା ପ୍ରତ୍ୟାହାର କରିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ, ଏହି ସେନା ପ୍ରତ୍ୟାହାର ପ୍ରସଙ୍ଗଟି ଆଗାମୀ ଶାନ୍ତି ଚୁକ୍ତି କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ସାଜିପାରେ। ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଆମେ ଗାଜା, ଲେବାନନ ଏବଂ ସିରିଆରେ ଇସ୍ରାଏଲ ଚାରିପାଖେ ଶକ୍ତ ସୁରକ୍ଷା ବଳୟ ପ୍ରସ୍ତୁତ କରିଛୁ।