ନୂଆଦିଲ୍ଲୀ: ସାଧାରଣ ଥଣ୍ଡା, କାଶ ହେଲେ ଆପଣ ସିଧାସଳଖ ମେଡିକାଲ ଷ୍ଟୋରକୁ ଯାଇ କଫ୍ ସିରପ୍ କିଣି ଆଣୁଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣିକି ବିନା ଡାକ୍ତରଙ୍କ ପରାମର୍ଶ କିମ୍ବା ଚିଠା (Prescription)ରେ ଆପଣ ବଜାରରୁ କୌଣସି ପ୍ରକାରର କଫ୍ ସିରପ୍ କିମ୍ବା ଅନ୍ୟାନ୍ୟ ସିରପ୍ ଔଷଧ କିଣିପାରିବେ ନାହିଁ। ଏହି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। କଫ୍ ସିରପର ଓଭର-ଦି-କାଉଣ୍ଟର ବା ସିଧାସଳଖ ବିକ୍ରି ଉପରେ ସରକାର ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।
କାହିଁକି ଲାଗିଲା ଏହି କଟକଣା?
ଗତ ୨୦୨୫ ମସିହାରେ ଦେଶରେ ଦୂଷିତ କଫ୍ ସିରପ୍ ପିଇ ଅନେକ ଶିଶୁଙ୍କ ମୃତ୍ୟୁ ହେବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ବିଶେଷ କରି ‘କୋଲ୍ଡ୍ରିଫ୍’ ନାମକ ଏକ କଫ୍ ସିରପ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଥିଲା। କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ଭାରତୀୟ ସିରପ୍ ଯୋଗୁଁ ଶିଶୁ ମୃତ୍ୟୁକୁ ନେଇ ବେଶ୍ ବିବାଦ ଦେଖାଦେଇଥିଲା।
ଏହି ଗମ୍ଭୀର ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ, ୧୯୪୫ ର ‘ଶେଡ୍ୟୁଲ୍ K’ତାଲିକାରୁ ‘ସିରପ୍’ ଶବ୍ଦକୁ ବାଦ୍ ଦେଇଛି। ପୂର୍ବରୁ ଏହି ତାଲିକାରେ ଥିବା ଔଷଧଗୁଡ଼ିକୁ କିଣିବା ପାଇଁ କୌଣସି ପ୍ରେସକ୍ରିପସନର ଆବଶ୍ୟକତା ପଡ଼ୁନଥିଲା। ମାତ୍ର ଏହି ନୂଆ ସଂଶୋଧନ ପରେ, ଏଣିକି କେବଳ ଜଣେ ପଞ୍ଜୀକୃତ ଡାକ୍ତରଙ୍କ ସ୍ୱାକ୍ଷରିତ ବୈଧ ଚିଠା ଦେଖାଇଲେ ହିଁ ଫାର୍ମାସିଷ୍ଟମାନେ କଫ୍ ସିରପ୍ ବିକ୍ରି କରିପାରିବେ।
କ’ଣ ଏହି ‘ଓଭର ଦି କାଉଣ୍ଟର’ ବିକ୍ରି ?
ସାଧାରଣ ଭାଷାରେ କହିବାକୁ ଗଲେ, ଯେତେବେଳେ ଜଣେ ଗ୍ରାହକ ଡାକ୍ତରଙ୍କ ପାଖକୁ ନଯାଇ ସିଧାସଳଖ ଔଷଧ ଦୋକାନରୁ କୌଣସି ଔଷଧ ମାଗି ଆଣନ୍ତି, ତାହାକୁ ‘ଓଭର ଦି କାଉଣ୍ଟର’ ବା OTC ବିକ୍ରି କୁହାଯାଏ। ଉଦାହରଣ ସ୍ୱରୂପ, ପାରାସିଟାମୋଲ, ଗ୍ୟାସ୍ ବଟିକା (Antacids), ଭିଟାମିନ ଏବଂ ସାଧାରଣ ଥଣ୍ଡା ଔଷଧ ଏହି ଶ୍ରେଣୀଭୁକ୍ତ। ଅନ୍ୟପଟେ ଆଣ୍ଟିବାୟୋଟିକ୍, ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ରୋଗର ସାଂଘାତିକ ଔଷଧ ବିନା ପ୍ରେସକ୍ରିପସନରେ ମିଳେନାହିଁ। ଏବେ ସରକାରଙ୍କ ଏହି କଡ଼ା ଆଭିମୁଖ୍ୟ ଯୋଗୁଁ କଫ୍ ସିରପ୍ ମଧ୍ୟ ଏହି ନିୟନ୍ତ୍ରିତ ଔଷଧ ଶ୍ରେଣୀରେ ସାମିଲ ହୋଇଛି, ଯାହା ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।
Also Read: ଇରାନ କେବେବି ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିପାରିବ ନାହିଁ, ଆଜି ନୁହେଁ କି ଆଗକୁ ମଧ୍ୟ ନୁହେଁ: ବେଞ୍ଜାମିନ୍ ନେତନ୍ୟାହୁ