ପୁରୀ: ରଜ ମାନେ ଦୋଳି, ପୋଡ଼ପିଠା, ପାନ ଓ ଉତ୍ସବର ରଙ୍ଗ। କିନ୍ତୁ ଏଥର ପୁରୀରେ ରଜ ଉତ୍ସବ ପାଳନ ହେଲା ଏକ ନିଆରା ଓ ସମାଜସଚେତନ ବାର୍ତ୍ତା ସହ। ମହିଳା ଓ କିଶୋରୀଙ୍କ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱଚ୍ଛତାକୁ କେନ୍ଦ୍ର କରି ସ୍ୱେଚ୍ଛାସେବୀ ସଂଗଠନ ‘ଦ ବେଲ୍ ଓମେନ୍ସ କ୍ଲବ’ ପକ୍ଷରୁ ଆୟୋଜିତ ହୋଇଥିଲା ରଜ ମହୋତ୍ସବ ‘ଝୁମର-୨୦୨୬’।
ସ୍ଥାନୀୟ ବାଲି ନୋଳିଆ ସାହିସ୍ଥିତ ମା ପାଲମା ମନ୍ଦିର ପ୍ରାଙ୍ଗଣରେ ମା ପାଲମା ସେବା ସମିତିର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା, କିଶୋରୀ ଓ ଅଙ୍ଗନବାଡ଼ି କର୍ମୀ ଯୋଗଦେଇ ରଜର ଆନନ୍ଦକୁ ଉପଭୋଗ କରିଥିଲେ। ତେବେ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ସାନିଟାରୀ ପ୍ୟାଡ୍ ଓ ରଜ ସଜ ସାମଗ୍ରୀ ବଣ୍ଟନ।
କ୍ଲବର ସମ୍ପାଦିକା ସବିତା ହରିଚନ୍ଦନ କହିଥିଲେ ଯେ, ସହର ତଳି ଅଞ୍ଚଳର ଅନେକ ମହିଳା ଓ କିଶୋରୀଙ୍କ ମଧ୍ୟରେ ଋତୁସ୍ରାବ ସମୟର ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତାର ଅଭାବ ରହିଛି। ଏହାର ପରିଣାମ ସ୍ୱରୂପ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ସେଥିପାଇଁ ରଜ ଭଳି ଲୋକପ୍ରିୟ ପର୍ବକୁ ଆଧାର କରି ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଏହି ପ୍ରୟାସ କରାଯାଇଛି।
କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ କିଶୋରୀମାନଙ୍କ ପାଇଁ ପୁଚି, ମ୍ୟୁଜିକ୍ ଚେୟାର ଭଳି ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା।
ରଜର ପାରମ୍ପରିକ ଉତ୍ସାହ ସହ ମହିଳା ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାର ସନ୍ଦେଶକୁ ଯୋଡ଼ି ‘ଝୁମର-୨୦୨୬’ ପୁରୀରେ ଏକ ଅଭିନବ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଶେଷରେ ରଜ ପାନ, ପିଠା, ମିଠା ଓ ଗୁପଚୁପ୍ ବଣ୍ଟନ ସହ ଉତ୍ସବର ସମାପନ ହୋଇଥିଲା।